ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ତୁର୍କୀର ଏକ ସ୍କି ରିସର୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି ଅନେକ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ବୋଲୁ ପ୍ରଦେଶର କାର୍ଟାଲକାୟା ସ୍ଥିତ ରିସର୍ଟର ଥିବା ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ଗୃହମନ୍ତ୍ରୀ ଅଲି ୟେରଲିକାୟା କହିଛନ୍ତି। ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ହୋଟେଲର ଛାତ ପୋଡ଼ିଯାଇ ଉପର ମହଲାରେ ନିଆଁ ଲାଗିଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିବା ଦେଖି କିଛି ଲୋକ ଭୟଭୀତ ହୋଇ କୋଠାରୁ ଡେଇଁ ପଡ଼ିଥିଲେ। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। କିଛି ଲୋକ ଚାଦର ସାହାଯ୍ୟରେ ସେମାନଙ୍କ କୋଠରୀରୁ ତଳକୁ ଆସିବାକୁ ଚେଷ୍ଟା କରିଥିଲେ।
କାର୍ଟାଲକାୟା ହେଉଛି ଇସ୍ତାନବୁଲ ଠାରୁ ପ୍ରାୟ ୩୦୦ କିଲୋମିଟର ପୂର୍ବରେ କୋରୋଗ୍ଲୁ ପର୍ବତମାଳାରେ ଅବସ୍ଥିତ ଏକ ଲୋକପ୍ରିୟ ସ୍କି ରିସର୍ଟ। ତୁର୍କୀରେ ଅଧିକାଂଶ ସ୍ଥାନରେ ଛୁଟି ଦିନ ରହିଥିବାରୁ ଏହି ଅଞ୍ଚଳର ହୋଟେଲଗୁଡ଼ିକ ସାଧାରଣତଃ ଭିଡ଼ ଥାଏ। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଘଟଣାସ୍ଥଳକୁ ୩୦ଟି ରେସ୍କ୍ୟୁ ଭେଇକ୍ୱିଲ୍ ଏବଂ ୨୮ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲେ । ତେବେ ଘଟଣା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରିସର୍ଟରେ ଥିବା ଅନ୍ୟ ହୋଟେଲଗୁଡ଼ିକୁ ଖାଲି କରିଦିଆଯାଇଛି ।