କଟକ : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାରେ ଆଉ ଦୁଇଜଣକୁ ଗିରଫ କରିଛି କମିଶନରେଟ ପୋଲିସ । ଗୋପୀ ଓରଫ ରଜନୀକାନ୍ତ ବେହେରା ଓ ଡି ଶିବ କୁମାର ଦୋରାକୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୂର୍ଵରୁ ୪ ଜଣ ଗିରଫ ହୋଇଥିଲେ ।
ସୂଚନା ଥାଉକି ଚାକିରି ଦେବାର ଲୋଭ ଦେଖାଇ ଦୁଇ ଜଣ ଦଲାଲ ବାଂଲାଦେଶରୁ ଓଡ଼ିଶା ଭାୟା କୋଲକାତା ଦେଇ ଅନେକ ନାବାଳିକାଙ୍କୁ ଚାଲାଣ କରୁଥିଲେ। ଉଦ୍ଧାର ନାବାଳିକାଙ୍କୁ ମଧ୍ୟ ଏହି ରାକେଟ ଚାକିରି ପ୍ରଲୋଭନ ଦେଖାଇ ବାଂଲାଦେଶରୁ ଆଣି ଓଡ଼ିଶାରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲାଗୁଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଛି।
ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ୬ ଜଣଙ୍କ ଭିତରେ ୪ଜଣ ପୁରୁଷ ଓ ଦୁଇ ମହିଳା ରହିଛନ୍ତି।ଅନ୍ୟପଟେ ନାବାଳିକା ଙ୍କୁ ତାଙ୍କ ଦେଶକୁ ଫେରାଇବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କଟକ ଡିସିପି କହିଛନ୍ତି।