ଇସ୍ତାନବୁଲ: ତୁର୍କୀର ଏକ ସ୍କି ରିସୋର୍ଟ ହୋଟେଲରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ବୋଲୁ ପ୍ରଦେଶର କାର୍ଟଲକୟା ସ୍କି ରିସୋର୍ଟରେ ଥିବା ଏକ ହୋଟେଲରେ ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ଗୋଟିଏ ମହଲାରେ ଏକ ରେଷ୍ଟୁରାଣ୍ଟ ଚାଲିଛି। ରେସ୍ତୋରାଁରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଅନେକ ଲୋକ ଭୟଭୀତ ହୋଇ ହୋଟେଲ କୋଠାରୁ ଡେଇଁ ପଡ଼ିଥିଲେ, ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଗଭର୍ଣ୍ଣର ଅବଦୁଲଅଜିଜ ଆୟଦିନ କହିଛନ୍ତି ଯେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ନିଆଁ ଦ୍ରୁତ ଗତିରେ ହୋଟେଲକୁ ଘେରି ଯାଇଥିଲା। ଅଗ୍ନିକାଣ୍ଡ ଖବର ପାଇ ଅଗ୍ନିଶମ ବାହିନୀ, ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ୟୁନିଟ୍ ଓ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ମିଳିତ ଭାବେ ପ୍ରାୟ ୨୩୦ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରିବାରେ ସଫଳ ହୋଇଥିଲେ।
ତୁର୍କୀର ନ୍ୟାୟ ମନ୍ତ୍ରୀ ୟେଲମାଜ୍ ଟୁନକହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ବୋଲୁ ପ୍ରଦେଶର ମୁଖ୍ୟ ସରକାରୀ ଓକିଲଙ୍କ କାର୍ଯ୍ୟାଳୟ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ଏହି ତଦନ୍ତ ପାଇଁ ୬ ଜଣ ସରକାରୀ ଓକିଲ ଓ ୫ ଜଣ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି।
କରତଲକୟା ରିସୋର୍ଟ ତୁର୍କୀର ପ୍ରମୁଖ ଶୀତକାଳୀନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ, ଯାହା ସ୍କି ଋତୁରେ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି ହୋଟେଲ ୧୯୭୮ ମସିହାରୁ ତୁର୍କୀରେ ସ୍କିୟରମାନଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ବୋଲୁ ସହର ଆଙ୍କାରା ଏବଂ ଇସ୍ତାନବୁଲ ମଧ୍ୟରେ ଅବସ୍ଥିତ ଏକ ପ୍ରମୁଖ ସହର ଏବଂ ଏହି ଅଞ୍ଚଳ ସ୍କି ପର୍ଯ୍ୟଟନ ପାଇଁ ଜଣାଶୁଣା। ବୋଲୁ ସହରର କେନ୍ଦ୍ରଠାରୁ ୩୮ କିଲୋମିଟର ଏବଂ ଆଙ୍କାରା ଓ ଇସ୍ତାନବୁଲଠାରୁ ୧୮୦ କିଲୋମିଟର ଦୂରରେ କୋରାଉଲୁ ପର୍ବତର ଶିଖରରେ ଅବସ୍ଥିତ ସ୍କି ଆଣ୍ଡ ମାଉଣ୍ଟେନ ହୋଟେଲ ୬୦,୦ ବର୍ଗ ମିଟର ଅଞ୍ଚଳରେ ବ୍ୟାପ୍ତ।