କରଓ୍ଵାର: କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ୟେଲାପୁର ତାଲୁକ ଅନ୍ତର୍ଗତ ୬୩ ନମ୍ବର ଜାତୀୟ ରାଜପଥର ଗୁଲାପୁରା ଘାଟ ଅଞ୍ଚଳରେ ବୁଧବାର ସକାଳେ ଏକ ଫଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍ ଓଲଟି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟ୍ରକରେ ୨୫ ଜଣ ବସିଥିଲେ। ଦ୍ରୁତଗତିରେ ଯାଉଥିବା ବେଳେ ଗାଡ଼ିଟି ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।
ବୁଧବାର ଭୋର ସମୟରେ ସେମାନେ ଯାଉଥିବା ପରିବା ଟ୍ରକ୍ଟି ୫୦ ମିଟର ଗଭୀରକୁ ଖସି ପଡ଼ିଥିଲା। ପୀଡ଼ିତମାନେ ସମସ୍ତେ ସାୱନୁରରୁ ଫଳ ବିକ୍ରି କରିବା ପାଇଁ ୟେଲାପୁରା ମେଳା ଆଡକୁ ଯାଉଥିଲେ। ଉତ୍ତର କନ୍ନଡ଼ ଆରକ୍ଷୀ ଅଧୀକ୍ଷକ ଏମ୍ ନାରାୟଣ କହିଛନ୍ତି ଯେ ସେମାନେ ସାୱନୁର-ହୁବଲି ରାସ୍ତାରେ ଯାଉଥିବା ବେଳେ ଏକ ଜଙ୍ଗଲରେ ଏହି ଦୁର୍ଘଟଣା ଘଟିଥିଲା।
ନାରାୟଣ ଗଣମାଧ୍ୟମକୁ କହିଛନ୍ତି, ଭୋର ପ୍ରାୟ ୪ଟା ବେଳେ ଟ୍ରକ୍ ଡ୍ରାଇଭର ଅନ୍ୟ ଏକ ଗାଡିକୁ ପାର୍ଶ୍ୱ ଦେବାକୁ ଯାଇ ବାମ ପଟକୁ ଯାଇ ପାଖାପାଖି ୫୦ ମିଟର ଗଭୀରରେ ଖସି ପଡ଼ିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉପତ୍ୟକାରେ ରାସ୍ତାରେ କୌଣସି ସୁରକ୍ଷା ପାଚେରି ନାହିଁ।
ୟେଲାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଆହତମାନଙ୍କୁ ହୁବଲିର କିମ୍ସରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ୟେଲାପୁର ଥାନା ଅଧୀନରେ ଏହି ଘଟଣା ଘଟିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଛି। ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।