ନୂଆଦିଲ୍ଲୀ/ୱାଶିଂଟନ୍: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ଟ୍ରମ୍ପ ପ୍ରଶାସନ ସହ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି। ସେ ଟ୍ରମ୍ପଙ୍କ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ପ୍ରଯୁକ୍ତି, ପ୍ରତିରକ୍ଷା ଏବଂ ଶକ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଦ୍ୱିପାକ୍ଷିକ ଭାଗିଦାରୀର ସମୀକ୍ଷା କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଆମେରିକାର ନୂତନ ସୁରକ୍ଷା ପରାମର୍ଶଦାତା ମାଇକେଲ ୱାଲ୍ଟଜଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ଗସ୍ତରେ ଅଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଭାରତର ପ୍ରତିନିଧି ଭାବେ ଯୋଗ ଦେଇଥିଲେ। ସେଠାରେ ସେ କ୍ୱାଡ୍ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ତାଙ୍କର ସାକ୍ଷାତର ଏକ ଫଟୋ ଏକ୍ସ ପୋଷ୍ଟରେ ଶେୟାର କରି ଲେଖିଛନ୍ତି, ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆମର ପ୍ରଥମ ଦ୍ୱିପାକ୍ଷିକ ବୈଠକ ପାଇଁ ସେକ୍ରେଟାରୀ ରୁବିଓଙ୍କୁ ଭେଟିବା ଏକ ଆନନ୍ଦର ବିଷୟ। ସେ କହିଛନ୍ତି, ଆମେ ଦୃଢ଼ ଦ୍ୱିପାକ୍ଷିକ ଭାଗିଦାରୀର ସମୀକ୍ଷା କରିଛୁ, ଯେଉଁଥିରେ ସଚିବ ରୁବିଓ ଜଣେ ଦୃଢ଼ ସମର୍ଥକ ରହିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଆମେରିକାର ଏନଏସଏ ମାଇକେଲ ୱାଲ୍ଟଜଙ୍କ ସହ ତାଙ୍କର ସାକ୍ଷାତର ଏକ ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, "ଏନଏସଏ ମାଇକେଲ ୱାଲ୍ଟଜଙ୍କୁ ପୁଣି ଥରେ ଭେଟିବା ବହୁତ ଭଲ ଲାଗିଲା। ଦ୍ୱିପାକ୍ଷିକ ଲାଭ ସୁନିଶ୍ଚିତ କରିବା ଏବଂ ବିଶ୍ୱ ସ୍ତରୀୟ ସ୍ଥିରତା ଏବଂ ସମୃଦ୍ଧି ବୃଦ୍ଧି ପାଇଁ ଆମର ବନ୍ଧୁତାକୁ ସୁଦୃଢ଼ କରିବା ଉପରେ ଆମେ ଆଲୋଚନା କରିଛୁ। ଆମେ ଏକ ସକ୍ରିୟ ଏବଂ ଫଳାଫଳ ଭିତ୍ତିକ ଏଜେଣ୍ଡା ସହିତ କାମ କରିବାକୁ ଆଗ୍ରହୀ।