ସମ୍ବଲପୁର: ପଲ୍ଲୀରୁ ଦିଲ୍ଲୀ ଯିବେ ମହିଳା ବୁଣାକର । ଜାତୀୟ ରାଜଧାନୀ ଦିଲ୍ଲୀରୁ ଆସିଛି ନିମନ୍ତ୍ରଣ । ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଯୋଗଦେବେ ବୁଣାକାର ସମ୍ବଲପୁର ଜିଲ୍ଲାର ଡିଲେଶ୍ୱରୀ ମେହେର । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅଭିଭାଷଣ ଶୁଣିବାର ସୁଯୋଗ ପାଇବେ ଡିଲେଶ୍ୱରୀ । ଓଡ଼ିଶାର ୩ ଜଣ ବୁଣାକାରଙ୍କ ମଧ୍ୟରେ ସେ ସ୍ଥାନ ପାଇଥିବାରୁ ଖୁବ ଗର୍ବିତ ଓ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ଡିଳେଶ୍ୱରୀ ।
ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକର ବାହାମ ପଞ୍ଚାୟତର ବଡତୁରାଙ୍ଗ ଗ୍ରାମର ମହିଳା ଡିଳେଶ୍ଵରୀ ମେହେର । ବୟନ ବ୍ୟବସାୟୀ ପୁଟୁର୍ ମେହେରଙ୍କ ଧର୍ମ ପତ୍ନୀ ଡିଳେଶ୍ଵରୀ । ସେ ଆଉ ଏବେ ନିଜ ସ୍ୱାମୀଙ୍କ ନାମରେ ନୁହେଁ ବରଂ ନିଜ ନାମରେ ପରିଚିତ ହେଉଛନ୍ତି । ଯେଉଁ ହସ୍ତତନ୍ତ ବୁଣାକୁ ସେ ନିଜର ପେଷା କରିଥିଲେ ସେହି ହସ୍ତତନ୍ତ ଆଜି ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ଦିନେ ନିଜର କୌଳିକ ବୃତ୍ତିରୁ ଦୂରେଇ ଯାଇଥିବା ଡିଳେଶ୍ୱରୀ ପୁଣି ଥରେ ତାହାକୁ ନିଜର କରି ନେଇଛନ୍ତି । ହସ୍ତତନ୍ତରେ ପ୍ରଶିକ୍ଷଣ ନେଇ ସେ ବୁଣିବା ଆରମ୍ଭ କରିଥିଲେ । ବିକାଶ ଫାଉଣ୍ଡେସନର ମୁଖ୍ୟ ମୃଦୁଲା ଠାକୁରଙ୍କ ପ୍ରଚେଷ୍ଟାରେ ବଡତୁରାଙ୍ଗ ଗ୍ରାମରେ ବୁଣାକାର ପରିବାରଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ଏଥିରେ ପ୍ରଶିକ୍ଷଣ ନେଇ ଡିଲେଶ୍ଵରୀ ମେହେର ବିଭିନ୍ନ ଡିଜାଇନର ଲୁଗା ବୁଣୁଛନ୍ତି । ତାଙ୍କ ଦ୍ୱାରା ବୁଣା ଯାଉଥିବା ଲୁଗା ଏବେ ଦେଶ ବିଦେଶରେ ଆଦୃତ ଲାଭ କରିଛି । ଯାହାକି ତାଙ୍କୁ ଆଜି ଦିଲ୍ଲୀ ପର୍ଯ୍ୟନ୍ତ ନେଇ ପାରିଛି । ଖାଲି ସେତିକି ନୁହେଁ ନିଜେ ଲୁଗା ବୁଣିବା ସହିତ ସ୍ୱାମୀଙ୍କୁ ବ୍ୟବସାୟରେ ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି ।
ଚଳିତ ବର୍ଷ ରାଜ୍ୟ ବୟନ ଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାର ମୋଟ ୩ ଜଣ ମହିଳାଙ୍କୁ ଚୟନ କରି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ସାଧାରଣତନ୍ତ୍ର ଦିବସ ସମାରୋହରେ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଡିଳେଶ୍ଵରୀ ମେହେର । ପଡିଆବାହାଲ ଅଞ୍ଚଳରେ ବୁଣାକାର ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ନେଇଛନ୍ତି । ତାଙ୍କୁ ଏହି ସୁଯୋଗ ଦେଇଥିବାରୁ ଅଞ୍ଚଳର ବହୁ ଅନୁଷ୍ଠାନ, ବିଶେଷ ବ୍ୟକ୍ତି, ଗ୍ରାମବାସୀ ବିକାଶ ଫାଉଣ୍ଡେସନର ମୁଖ୍ୟ ମୃଦୁଲା ଠାକୁରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ତେବେ ଡିଳେଶ୍ଵରୀ ମେହେରଙ୍କ ଏହି ଦିଲ୍ଲୀ ଯାତ୍ରା ପାଇଁ ସମଗ୍ର ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।