ବଲାଙ୍ଗିର : ନାବାଳିକାକୁ ସାଙ୍ଗରେ ନେଇ ଫେରାର ହୋଇଛି ପ୍ରେମିକ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଏକ ଗ୍ରାମରେ। ନାବାଳିକା ଝିଅଟି ଗତ ୧୮ ତାରିଖ ଦିନ ସନ୍ଧ୍ୟା ସମୟରେ ପଡୋଶୀ ଘରକୁ ବୁଲିବାକୁ ଯାଉଛି କହି ଆଉ ଘରକୁ ଫେରି ନ ଥିଲା । ପରେ ପରିବାର ବର୍ଗ ଜାଣିବାକୁ ପାଇଲେ ଯେ ପୂର୍ବରୁ ତାର ପ୍ରେମସମ୍ପର୍କରେ ଥିବା ଗାଁର ଜଣେ ପୁଅ ସହ ଫେରାର ହୋଇଯାଇଛି । ଘଟଣା ପରେ ନାବାଳିକାର ପରିବାର ପକ୍ଷରୁ ବଲାଙ୍ଗୀର ସଦର ଥାନାରେ ମାମଲା ଦାୟର କରାଯାଇଛି।ଏହି ଘଟଣାରେ ଫେରାର ମାରିଥିବା ପ୍ରେମିଯୁଗଳଙ୍କୁ ପରିବାର ସଦସ୍ୟମାନେ ଓ ପୁଲିସ ପକ୍ଷରୁ ଖୋଜାଖୋଜି ଚାଲିଛି। ନାବାଳିକାର ବୟସ ୧୭ ବର୍ଷ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଦୁଇ ଜଣଙ୍କ ମଧ୍ୟରେ ବହୁଦିନ ଧରି ଗୁପ୍ତ ଭାବରେ ଚାଲିଥିଲା ପ୍ରେମସମ୍ପର୍କ। ନାବାଳିକା ଜଣକ ତାଙ୍କ ଏହି ପ୍ରେମ ସମ୍ପର୍କକୁ ନିଜ ପରିବାର ଠାରୁ ଲୁଚାଇ ରଖିଥିଲା କିନ୍ତୁ ହଠାତ୍ ଘରୁ ଫେରାର ହେବା ପରେ ଘଟଣାଟି ସାମ୍ନାକୁ ଆସିଛି। ପ୍ରେମିକ ଜଣକ ମଧ୍ୟ ସେହି ଗ୍ରାମର ବୋଲି ଜଣାପଡିଛି । ତେବେ ତାଙ୍କ ଝିଅକୁ ବ୍ଲାକମେଲ୍ କରି ପୁଅଟି ଅପହରଣ କରିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣା ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।