ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ ପାକିସ୍ତାନର ବ୍ୟାଟର ସାଉଦ ସକିଲଙ୍କୁ ଫାଇଦା ମିଳିଛି । ଏହି ବ୍ୟାଟର ତିନୋଟି ସ୍ଥାନ ଉନ୍ନତି ଘଟାଇ ଟପ୍-୧୦ରେ ପ୍ରବେଶ କରିଛନ୍ତି । ଶକିଲ ଭାରତର ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଓ ଅଷ୍ଟ୍ରେଲିଆର ବରିଷ୍ଠ ଖେଳାଳି ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଅଷ୍ଟମ ସ୍ଥାନକୁ ଉଠିଛନ୍ତି । ଶକିଲଙ୍କ ୭୫୩ ରେଟିଂ ପଏଣ୍ଟ ଥିବା ବେଳେ ସ୍ମିଥଙ୍କ ୭୪୬ ଓ ପନ୍ତଙ୍କ ୭୩୯ ଅଙ୍କ ରହିଛି । ସ୍ମିଥ ନବମ ଓ ପନ୍ତ ଦଶମ ସ୍ଥାନରେ ରହିଛନ୍ତି । ଜୋ ରୁଟ୍ ପୂର୍ବବତ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ କେନ ୱିଲିୟମସନ ଦ୍ୱିତୀୟ ଓ ଯଶସ୍ୱୀ ଜୟସ୍ୱାଲ ତୃତୀୟ ସ୍ଥାନରେ ରହିଛନ୍ତି ।
ବୋଲିଂ ମାନ୍ୟତାରେ ପାକିସ୍ତାନର ସ୍ପିନର ନୋମାନ ଅଲ୍ଲୀ ଟପ୍-୧୦ରେ ପ୍ରବେଶ କରିଛନ୍ତି । ସେ ୭୬୧ ପଏଣ୍ଟ ସହ ନବମ ସ୍ଥାନରେ ରହିଛନ୍ତି । ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶୀର୍ଷରେ ରହିଛନ୍ତି । ସେ ୯୦୮ ରେଟିଂ ପଏଣ୍ଟ ପାଇଥିବା ବେଳେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । କାଗିସୋ ରାବଡା ତୃତୀୟ ସ୍ଥାନରେ ରହିଛନ୍ତି । ସେହି ପରି ଟପ୍-୧୦ ଅଲରାଉଣ୍ଡର୍ସ ତାଲିକାରେ କୌଣସି ପରିବର୍ତ୍ତନ ହୋଇନି । ଭାରତର ରବୀନ୍ଦ୍ର ଜାଡେଜା(୪୦୦)ଶୀର୍ଷରେ ସ୍ଥାନରେ ରହିଛନ୍ତି । ଏହା ପରେ ଦକ୍ଷିଣ ଆଫ୍ରିକାର ମାର୍କୋ ଜନସେନ ୨୯୪ ଓ ବାଂଲାଦେଶର ମେହଦି ହସନ ମିରାଜ ତୃତୀୟରେ ଅଛନ୍ତି ।
ବ୍ୟାଟର ତାଲିକାରେ ଭାରତର ଜୟସ୍ୱାଲ ଓ ପନ୍ତଙ୍କୁ ବାଦ୍ ଦେଲେ ଅନ୍ୟ କେହି ଟପ୍-୧୦ରରେ ନାହାନ୍ତି । ଉଲ୍ଲେଖନୀୟ ଭାରତୀୟ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲରୁ ବାଦ୍ ପଡି ସାରିଛି । ଡବ୍ଲ୍ୟୁଟିସି ଫାଇନାଲ୍ ୨୦୨୫ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।