ନୂଆଦିଲ୍ଲୀ: ଆଉ ମାତ୍ର ୪ ଦିନ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପାଳିତ ହେବ ଗଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଧ୍ୱଜାବତରଣ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦେଶ ବିଦେଶରୁ ବହୁ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେବେ । ଏଥିପାଇଁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ପରେଡ଼ରେ ଅଂଶ ଗ୍ରହଣ କରିବାକୁ ଥିବା ଟିମ୍ ଅଭ୍ୟାସ ଆରମ୍ଭ କରିଛନ୍ତି । ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯିବା ସହିତ ପରେଡ ଦେଖିବାକୁ ଚାହୁଁଥିବା ସାଧାରଣ ଜନତାଙ୍କ ପାଇଁ ବିଶେଷ କଟକଣା ଲାଗୁ କରାଯାଉଛି । ପରେଡ୍ ଦେଖିବାକୁକ ଯିବାବେଳେ ସାଥିରେ କଣ କଣ ନେଇ ପାରିବେ ନାହିଁ ସେ ନେଇ ତାଲିକା ଜାରି କରାଯାଇଛି ।
ପରେଡ୍ ଦେଖିବାକୁ ଆସିବାକୁ ଥିବା ସାଧାରଣ ଜନତା ଖାଦ୍ୟ, ପାନୀୟ ଦ୍ରବ୍ୟ, ବ୍ୟାଗ୍, ବ୍ରିଫ କେସ୍, ରେଡ଼ିଓ, ଟ୍ରଞ୍ଜିଷ୍ଟର୍, ଟେପ୍ ରେକର୍ଡର୍, ପେଜର, କ୍ୟାମେରା, ଦୂରବୀକ୍ଷଣ ଯନ୍ତ୍ର ଏବଂ ହ୍ୟାଣ୍ଡିକ୍ୟାମେରା ନେଇ ପାରିବେ ନାହିଁ । ସେହିପରି ଥର୍ମସ୍, ପାଣି ବୋତଲ, କ୍ୟାନ୍, ଛତା, ଖେଳଣା ପିସ୍ତଲ, ଜ୍ୱଳନଶୀଳ ସାମଗ୍ରୀ, ଦିଆସିଲି, ଡିଜିଟାଲ୍ ଡାଏରୀ, ପାମ୍-ଟପ୍ କମ୍ପ୍ୟୁଟର, ଆଇପ୍ୟାଡ୍, ଆଇପଡ୍, ଟାବଲେଟ୍, ପେନଡ୍ରାଇଭ୍, ସିଗାରେଟ୍, ବିଡ଼ି, ଲାଇଟର, ମଦ, ସୁଗନ୍ଧିତ ଦ୍ରବ୍ୟ (ପରଫ୍ୟୁମ୍), ସ୍ପ୍ରେ, ବନ୍ଧୁକ, ଧାରୁଆ ଅସ୍ତ୍ର, ଖଣ୍ଡା, ସ୍କ୍ରୁଡ୍ରାଇଭର, ଲେଜର ଲାଇଟ୍, ପାୱାର ବ୍ୟାଙ୍କ, ମୋବାଇଲ୍ ଚାର୍ଜର, ଇୟରଫୋନ୍, ଛୁରୀ, କଇଁଚି, କ୍ଷୁର, ବ୍ଲେଡ୍, ତାର, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଆତସବାଜି ଏବଂ ରିମୋଟ୍ ନିୟନ୍ତ୍ରିତ କାର୍ ଲକ୍ ଚାବି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି ।
ଅନ୍ୟପକ୍ଷରେ ଦିଲ୍ଲୀ ଟ୍ରାଫିକ୍ ପୋଲିସ କହିଛି ଯେ ପରେଡ୍ ଅଭ୍ୟାସ ବିଜୟ ଚୌକରୁ ଆରମ୍ଭ ହେବ ଏବଂ କର୍ତ୍ତବ୍ୟପଥ, ସି-ହେକ୍ସାଗନ୍, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି, ତିଲକ ମାର୍ଗ, ବାହାଦୁର ଶାହ ଜାଫର ମାର୍ଗ ଏବଂ ନେତାଜୀ ସୁଭାଷ ମାର୍ଗ ଦେଇ ଲାଲକିଲ୍ଲାରେ ଶେଷ ହେବ । ଏହି ପରେଡ୍ ଅଭ୍ୟାସ ସକାଳ ସାଢ଼େ 10ଟାରୁ ବିଜୟ ଚୌକରୁ ଆରମ୍ଭ ହୋଇ ଲାଲକିଲ୍ଲାରେ ଶେଷ ହେବ।