ଭୁବନେଶ୍ୱର: ଜାନୁୟାରୀ ୨୮ରୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ । ୨୮ ଏବଂ ୨୯ରେ ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ । ଭୁବନେଶ୍ୱରର ଜନତା ମଇଦାନରେ କରାଯିବ ଉତ୍କର୍ଷ ଓଡ଼ିଶା ମେକ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ସେ କହିଛନ୍ତି, ଜାନୁୟାରୀ ୨୮ ଓ ୨୯, ଏଇ ଦୁଇ ଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । କାର୍ଯ୍ୟକ୍ରମକୁ ଆସୁଥିବା ଅତିଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
୨୮ ତାରିଖ ଦିନ ଉତ୍କର୍ଷ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଉଦଘାଟନ ପୂର୍ବରୁ ୨୭ ତାରିଖରେ ବିଭିନ୍ନ ତାରିକା ହୋଟେଲରେ ସିଆଇଆଇ ପକ୍ଷରୁ ବଡ଼ ସେକ୍ସନ ଅନୁଷ୍ଠିତ ହେବ । ଏଥିରେ ସିଆଇଆଇର ୨୦୦ କାଉନସିଲର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
୨୮ ତାରିଖ ଦିନ ବଡ଼ ବଡ଼ ଶିଳ୍ପପତି ମାନେ ଉତ୍କର୍ଷ ଓଡ଼ିଶାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଅଷ୍ଟ୍ରେଲିଆ, ମାଲେସିଆ, ସିଙ୍ଗାପୁର, ଜାପାନର ଶିଳ୍ପପତି ମାନେ ଏଥିରେ ଯୋଗ ଦେବେ । ଉତ୍କର୍ଷ ଓଡ଼ିଶା ପାଇଁ ସାମିଲ ହେଲେ ୧୨ ଦେଶର ଶିଳ୍ପପତି । ବିଶ୍ଚିଷ୍ଟ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
ତେବେ ଉତ୍କର୍ଷ ଓଡ଼ିଶାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଉତ୍କର୍ଷ ଓଡ଼ିଶା କେବଳ ପୁଞ୍ଜି ଆକର୍ଷିତ କରିବ ନାହିଁ; ବରଂ ଏକ ପ୍ରମୁଖ ସ୍ଥଳ ଭାବେ ଏହା ନିବେଶକଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବ। ଏହା ଆମ ପାଇଁ କେବଳ ସମାବେଶ ନୁହେଁ, ଏହା ଏକ ସଂକଳ୍ପ । ଓଡ଼ିଶା ମାଟିରେ ଏକ ସମୃଦ୍ଧ ବ୍ୟାବସାୟିକ ପରିବେଶ ଗଠନ କରିବା ଆମର ଲକ୍ଷ୍ୟ’ ବୋଲିି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।