ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଏଆଇଏମଆଇଏମ ପ୍ରାର୍ଥୀ ତାହିର ହୁସେନଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଦୁଇ ବିଚାରପତିଙ୍କ ମଧ୍ୟରେ ମତଭେଦ ଦେଖାଯିବା ସହ ଭିନ୍ନ ମତ ପ୍ରକାଶ ପାଇଛି । ଦୁଇ ଜଣିଆ ଜଜଙ୍କ ପୀଠ ଭିନ୍ନ ଭିନ୍ନ ନିଷ୍ପତ୍ତି ଶୁଣାଇବା ପରେ ମାମଲାକୁ ତିନି ଜଣିଆ ଖଣ୍ଡପୀଠକୁ ପଠାଇ ଦିଆଯାଇଛି । ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ତାହିର ହୁସେନ ମୁସ୍ତଫାବାଦ ସିଟରୁ ନିର୍ବାଚନ ଲଢୁଛନ୍ତି ଏବଂ ପ୍ରଚାର ପାଇଁ ସେ କୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଛନ୍ତି । ଦଙ୍ଗା ସମୟରେ ତାହିର ଆମ ଆଦମୀ ପାର୍ଟିର କାଉନସିଲର ଥିଲେ । ପରେ ଆପ୍ ତାଙ୍କୁ ପାର୍ଟିରୁ ବହିଷ୍କାର କରିଥିଲା । ଏବେ ଅସଦୁଦ୍ଦୀନ ଓବେସୀଙ୍କ ପାର୍ଟି ତାହିରଙ୍କୁ ନିଜର ପ୍ରାର୍ଥୀ କରିଛି ।
ଶୁଣାଣି ସମୟରେ ଜଷ୍ଟିସ ପଙ୍କଜ ମିତ୍ତଲ ହୁସେନଙ୍କ ଅନ୍ତରୀଣ ଜାମିନ ଯାଚିକାକୁ ଖାରଜ କରିଥିବା ବେଳେ ଜଷ୍ଟିସ ଅସାନୁଦ୍ଦୀନ ଅମାନୁଲ୍ଲା ତାହିରଙ୍କୁ ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ବିଚାରପତି ମିତ୍ତଲ କହିଛନ୍ତି, ଆମର ରାୟ ଭିନ୍ନ ଭିନ୍ନ ରହୁଥିବାରୁ ମାମଲାକୁ ସିଜେଆଇଙ୍କ ସାମ୍ନାରେ ରଖିବା ଉଚିତ୍ ଯଦ୍ୱାରା ତିନି ଜଣିଆ ଜଜଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯାଇ ପାରିବ ।
ଜଷ୍ଟିସ ପଙ୍କଜ ମିତ୍ତଲ ତାହିରଙ୍କ ଆବେଦନ ଯାଚିକା ଖାରଜ କରି କହିଛନ୍ତି ଯେ, ତାହିରଙ୍କ ଜାମିନ ଆବେଦନ ସ୍ୱୀକାର କଲେ ଏକ ନୂତନ ପ୍ରଥା ଆରମ୍ଭ ହୋଇଯିବ । ବିଚାରଧୀନ କଏଦୀ ନିର୍ବାଚନରେ ଛିଡା ହୋଇଯିବେ । ନିର୍ବାଚନ ଲଢିବା କିମ୍ବା ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦାବି କରିବେ । ଏପରିକି ସାକ୍ଷ୍ୟ ପ୍ରମାଣ ନଷ୍ଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ସେମିତିରେ ବି ୧୦-୧୫ ଦିନର ପ୍ରଚାରରେ କୌଣସି ଉଦ୍ଦେଶ୍ୟ ପୂରା ହେବ ନାହିଁ କାରଣ ଗୋଟିଏ କ୍ଷେତ୍ରରେ ବର୍ଷ ବର୍ଷ କାମ କରିବାକୁ ପଡିପାରେ ।
ଜଷ୍ଟିସ ଅମାନୁଲ୍ଲା କହିଛନ୍ତି, ଏହା ଏକ ସ୍ଥାପିତ ଆଇନ ଏବଂ ଅପରାଧର ଗମ୍ଭୀରତା ଜାମିନ କେସରେ ଏକମାତ୍ର ମାନଦଣ୍ଡ ହୋଇ ପାରିବ ନାହିଁ । ମୋ ବିଚାରରେ ଆବେଦନକାରୀଙ୍କୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଜାମିନ ମିଳିବା ଉଚିତ୍ । ଏହା ବ୍ୟତୀତ ଏହି ଆଦେଶ ଦିଆଯାଉ ଯେ, ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଉପରେ ଲାଗିଥିବା ଏଫଆଇଆର ଓ ଅନ୍ୟ ପ୍ରସଙ୍ଗ ନ ଉଠାଯାଉ । ତାଙ୍କୁ ଦିଆଯାଉଥିବା ଜାମିନ ଅବଧି ସମାପ୍ତ ପରେ ତାଙ୍କୁ ତୁରନ୍ତ ଜେଲରେ ଆତ୍ମ ସମର୍ପଣ କରିବାକୁ ପଡିବ ।