ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ବୁଧବାର କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଣି ଥରେ ଶୁଣାଣି କରିବେ। କୋର୍ଟଙ୍କ ୱେବ୍ସାଇଟ୍ ଅନୁସାରେ ପ୍ରଧାନବିଚାରପତି ସଂଜୀବ ଖାନ୍ନା, ଜଷ୍ଟିସ ସଂଜୟ କୁମାର ଓ ଜଷ୍ଟିସ କେଭି ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିବେ। ଅନ୍ୟପକ୍ଷରେ କୋଲକାତାର ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରାୟଙ୍କ ଆଜୀବନ କାରାଦଣ୍ଡକୁ ମଙ୍ଗଳବାର ପଶ୍ଚିମବଙ୍ଗ ସରକାର କୋଲକାତା ହାଇକୋର୍ଟର ଦ୍ୱାର ଟକ୍କର ଦେଇ ଚ୍ୟାଲେଞ୍ଜ କରିଛନ୍ତି। ଦୋଷୀକୁ ଫାଶୀ ଦଣ୍ଡାଦେଶ ପାଇଁ ହୋଇଥିବା ଆବେଦନର ଶୁଣାଣି ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି।
ଏହା ପୂର୍ବରୁ ୨୦୨୪ ନଭେମ୍ବରରେ ସୁପ୍ରିମକୋର୍ଟ କହିଥିଲେ ଯେ ଏହି ମାମଲାର ଶୁଣାଣି ବେଙ୍ଗଲ ବାହାରେ ସ୍ଥାନାନ୍ତର କରିବାକୁ କୋର୍ଟ କୌଣସି ନିର୍ଦ୍ଦେଶ ଜାରି କରିବେ ନାହିଁ। ତତ୍କାଳୀନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏ ସଂକ୍ରାନ୍ତରେ ଜଣେ ଓକିଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହି ମାମଲାରେ ସିଆଲଦା କୋର୍ଟର ଜଜ ସୋମବାର ଦୋଷୀଙ୍କୁ ସଂଜୟ ରାୟକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।
ବିଚାରପତି ଦାସ ୧୯୮୦ ବଚନ ସିଂହ ବନାମ ପଞ୍ଜାବ ସରକାର ମାମଲାରେ ସୁପ୍ରିମ୍ କୋର୍ଟଙ୍କ ଐତିହାସିକ ରାୟକୁ ଦୋଷୀଉପରେ ମୃତ୍ୟୁଦଣ୍ଡ ଲାଗୁ ନକରିବାର କାରଣ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଏହି ମାମଲାରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ରହିଛି। ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପାଇଁ ସେହି ନିର୍ଦ୍ଦେଶନାମାରେ ଦର୍ଶାଯାଇଥିବା କଠୋର ମାନଦଣ୍ଡ ସହିତ ଆରଜି କରଙ୍କ ଘଟଣାକୁ ତୁଳନା କରାଯାଇପାରିବ ନାହିଁ। ତେଣୁ ଏହି ଅପରାଧକୁ ବିରଳତମ ଘଟଣା ବୋଲି କୁହାଯାଇପାରିବ ନାହିଁ।