ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଜାରି ତିକ୍ତତା ମଧ୍ୟରେ ବାଂଲାଦେଶ ପୁଣି ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗରେ ଭାରତକୁ ନାଲି ଆଖି ଦେଖାଇବାକୁ ଚେଷ୍ଟା କରିଛି । ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ଆଇନଗତ ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି, ଯଦି ଭାରତ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ନ କରେ ତେବେ ଏହା ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରତ୍ୟର୍ପଣ ଚୁକ୍ତିର ସ୍ପଷ୍ଟ ଉଲ୍ଲଂଘନ ହେବ । ଏହି ଚୁକ୍ତି ଅନୁସାରେ ଭାରତକୁ ଶେଖ ହସିନାଙ୍କୁ ଫେରାଇବାକୁ ପଡିବ ବୋଲି ସେ କହିଛନ୍ତି ।
କେବଳ ଏତିକି ନୁହେଁ ନଜରୁଲ କହିଛନ୍ତି, ଯଦି ଭାରତ ଶେଖ ସହିନାଙ୍କୁ ପ୍ରତ୍ୟର୍ପଣ ନ କରେ ତେବେ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ମଞ୍ଚ ଓ ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇବ । ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଆମେ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛୁ । ଆବଶ୍ୟକ ପଡିଲେ ଅନ୍ତର୍ଜାତୀୟ ସମର୍ଥନ ଲୋଡିବୁ ବୋଲି ନଜରୁଲ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟ ୫ରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ଅଣାୟତ ହେବା ପରେ ଶେଖ ହସିନା ପଳାୟନ କରି ଭାରତ ପହଞ୍ଚିଥିଲେ ଏବଂ ତେବେଠୁ ସେ ଶରଣରେ ଅଛନ୍ତି । ଏହି କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ଉତ୍ତେଜନାପୂର୍ଣ୍ଣ ରହିଛି । ଏହାର ପ୍ରଭାବ ସୀମାରେ ମଧ୍ୟ ଦେଖିବାକୁ ମିଳୁଛି । ଏହି ପ୍ରସଙ୍ଗରେ ଦୁଇ ଦେଶ ପରସ୍ପରର ଉଚ୍ଚାୟୁକ୍ତଙ୍କୁ ତଲବ କରି ସାରିଛନ୍ତି ।