କର୍ଣ୍ଣାଟକ: କର୍ଣ୍ଣାଟକର ବେଲାରୀ ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରାଇଛି । ଚାକିରୀରୁ ବାହାର କରିଦେବାରୁ ଅଫିସ ଆଗରେ କିଛି କର୍ମୀ କଳାଯାଦୁ କରିଥିବା ସନ୍ଦେହ କରାଯାଉଛି।
ସକାଳୁ ଅଫିସ ଖୋଲିବା ମାତ୍ରେ ଯାହା ଦେଖିବାକୁ ମିଳିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଯାଇଛି । ଅଫିସର ଗେଟ୍ ଆଗରେ ଏକ ଛୋଟ ମେସିନ୍ ଚାରିପାଖରେ ସୂତା ଗୁଡ଼ାଇ, ନଡ଼ିଆରେ ଏକ ତାବିଜ ବ୍ୟାଗ ବାନ୍ଧି, ଏକ କଳା କଣ୍ଢେଇ ରଖାଯାଇଥିଲା । ପ୍ରତ୍ୟେକ ଜିନିଷ ଉପରେ ସିନ୍ଦୂର ଲଗାଯାଇଛି । କଖାରୁ ସହିତ, ଲେମ୍ବୁରେ ନଖର ଚିହ୍ନ ମଧ୍ୟ ରହିଛି ।
ଆଶ୍ଚର୍ଯ୍ୟଜନକ କଥା ହେଉଛି କାର୍ଯ୍ୟାଳୟ ନିକଟରେ ଅନେକ ସିସି କ୍ୟାମେରା ଲଗାଯାଇଛି । ଏହି ସିସିଟିଭି କ୍ୟାମେରା ଏବଂ ସୁରକ୍ଷା କର୍ମୀଙ୍କ କଡା ନଜର ସତ୍ତ୍ବେ ଏହି କଳାଯାଦୁ କରାଯାଇଛି, କିନ୍ତୁ ସିସିଟିଭି କ୍ୟାମେରାରେ ଏହି କଳାଯାଦୁ କରୁଥିବା ବ୍ୟକ୍ତି ଦେଖାଯାଉନି କି ଗାର୍ଡ ମଧ୍ୟ କାହାକୁ ଦେଖିନଥିବା ସୂଚନା ରହିଛି ।
ଖବର ମୁତାବକ, କର୍ଣ୍ଣାଟକ ମିଲ୍କ ଫେଡରେସନ ପ୍ରଶାସନିକ କାର୍ଯ୍ୟାଳୟର ସମ୍ମୁଖରେ ଆଜି ସକାଳୁ କଳାରଙ୍ଗର କଣ୍ଢେଇ, ସିନ୍ଦୁର ଲଗା ନଡିଆ, ସିନ୍ଦୁର ଓ ଲୁହାକଣ୍ଟା ଲଗାଯାଇଥିବା କଖାରୁ ଏବଂ ଲେମ୍ବୁ ମିଳିଛି । ଯାହା ଅଫିସ୍ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ବର୍ତ୍ତମାନ କର୍ଣ୍ଣାଟକ ମିଲ୍କ ଫେଡରେସନ (କେଏମଏଫ୍) କ୍ଷତିରେ ଚାଲିଛି, ଯେଉଁ କାରଣରୁ ୫୦ ଜଣଙ୍କୁ କାର୍ଯ୍ୟାଳୟରୁ ବହିଷ୍କାର ପାଇଁ ସର୍ଟଲିଷ୍ଟ କରାଯାଇଛି । ତେଣୁ ସନ୍ଦେହ କରାଯାଉଛି ଯେ, ସେହି କର୍ମଚାରୀମାନଙ୍କ ମଧ୍ୟରୁ କେହି ଏପରି କରିଥାଇପାରନ୍ତି ବୋଲି କହିଛନ୍ତି କେଏମଏଫର ଡାଇରେକ୍ଟର ପ୍ରଭୁ ଶଙ୍କର ।