ପ୍ରୟାଗରାଜ : ଚାଲିଛି କୁମ୍ଭମେଳା । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ସାଧୁ ସନ୍ଥ ସାମିଲ ହୋଇ ବୁଡ ପକାଉଛନ୍ତି। ଆଜିକୁ ମହାକୁମ୍ଭ ମେଳା ଆରମ୍ଭ ହେବାର ୯ ଦିନ ବିତି ଗଲାଣି। ଏବେ ପର୍ଯ୍ୟନ୍ତ ପାଖାପାଖି ୯ କୋଟି ଲୋକ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାରିଲେଣି। ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ଏହି କୁମ୍ଭ ମେଳା ଆସନ୍ତା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଏହା ମଧ୍ୟରେ ମୋଟ ୬ଟି ସ୍ନାନ ଅବସର ରହିଛି, ଯାହା ମଧ୍ୟରୁ ୩ଟି ଅମୃତ ସ୍ନାନ। ୩ ଅମୃତ ସ୍ନାନ ମଧ୍ୟରୁ ଗୋଟେ ସ୍ନାନ ସରିଛି। ଏହି ପବିତ୍ର ଅବସରରେ ଆସନ୍ତା ଫେବୃୟାରୀ ୫ରେ ପ୍ରୟାଗରାଜ ମହାକୁମ୍ଭରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମହା ଅବସରରେ ସାମିଲ୍ ହୋଇ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ସୂଚନାଯୋଗ୍ୟ ଫେବୃଆରୀ ୫ରେ ମହାକୁମ୍ଭରେ ସାମିଲ ହୋଇ ଅମୃତ ସ୍ନାନ କରିବେ ମୋଦୀ । ଏନେଇ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଉଛି। ଗତ ରବିବାର ମନ କି ବାତ୍ କାର୍ଯ୍ୟକ୍ରମରେ ମହାକୁମ୍ଭକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ , ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହୋଇଛି। ଅବିସ୍ମରଣୀୟ ଭିଡ଼, ଅକଳ୍ପନୀୟ ଦୃଶ୍ୟ ଏବଂ ସମାନତା ଏବଂ ସମନ୍ବୟର ଏକ ଅସାଧାରଣ ସଙ୍ଗମ। ଜାତି,ଧର୍ମ ଭୁଲି ସମସ୍ତେ ଏକାଠି ହୋଇଛନ୍ତି। ଚଳିତଥର କୁମ୍ଭରେ ଅନେକ ଦିବ୍ୟ ଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି କୁମ୍ଭ ପର୍ବ ବିବିଧତା ମଧ୍ୟରେ ଏକତାକୁ ପାଳନ କରେ । କୁମ୍ଭ ଉତ୍ସବ ଆମକୁ ଏହା ମଧ୍ୟ କୁହେ ଯେ ଆମର ପରମ୍ପରାଗୁଡ଼ିକ ସମଗ୍ର ଭାରତକୁ କିପରି ଏକତ୍ର ସୂତାରେ ବାନ୍ଧି ରଖେ। ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବିଶ୍ୱାସ ପାଳନ କରିବାର ଉପାୟ ସମାନ।
ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜାନୁଆରୀ ୨୭ ରେ ମହାକୁମ୍ଭ ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ସାମିଲ୍ ହେବେ । ଏହାବ୍ୟତୀତ ଉପରାଷ୍ଟ୍ରପତି ଜଗଦିପ ଧନଖଡ୍ ୧ ଫେବୃୟାରୀ ଏବଂ ୧୦ ଫେବୃୟାରୀରେ ମହାକୁମ୍ଭରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।