ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ କାଉନସିଲର ତାହିର ହୁସେନ ଜେଲରେ ଅଛନ୍ତି। ପୂର୍ବତନ କାଉନସିଲର ତାହିରଙ୍କୁ ଦିଲ୍ଲୀ ନିର୍ବାଚନ ଲଢେଇରେ ଅସଦୁଦ୍ଦିନ ଓୱେସିଙ୍କ ନେତୃତ୍ୱାଧୀନ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ପ୍ରାର୍ଥୀ କରିଛି। ମୁସ୍ତାଫାବାଦ ବିଧାନସଭା ଆସନରୁ ଏଆଇଏମଆଇଏମ୍ ପ୍ରାର୍ଥୀ ତାହିର ହୁସେନ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଛନ୍ତି। ତାହିର ହୁସେନଙ୍କ ଜାମିନ ଆବେଦନର ଶୁଣାଣି ଜାନୁଆରୀ ୨୦ରେ ହେବାର ଥିଲା, କିନ୍ତୁ ସମୟ ଅଭାବରୁ ହୋଇପାରିନଥିଲା। ଜାନୁଆରି ୨୦ରେ ସୁପ୍ରିମକୋର୍ଟର ବିଚାରପତି ପଙ୍କଜ ମିଥାଲ ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ତାହିର ହୁସେନଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା। ସମୟ ଅଭାବରୁ ଖଣ୍ଡପୀଠ ଏହି ଆବେଦନର ଶୁଣାଣିକୁ ସ୍ଥଗିତ ରଖିଥିଲେ।
ତାହିର ହୁସେନଙ୍କ ଓକିଲ କୋର୍ଟରେ ଏହି ମାମଲାକୁ ଉଲ୍ଲେଖ କରି କହିଥିଲେ ଯେ ଜାମିନ ଗ୍ରହଣ କରିବା ଉଚିତ। ନାମାଙ୍କନ ପତ୍ର ଗ୍ରହଣ ହୋଇଥିବାରୁ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ପ୍ରଚାରକୁ ଅନୁମତି ଦେବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ ପଙ୍କଜ ମିଥାଲ କଠୋର ମନ୍ତବ୍ୟ ଦେଇ କହିଛନ୍ତି ଯେ ଗୁରୁତର ଅଭିଯୋଗରେ ଜେଲରେ ଥିବା ତାହିର ହୁସେନଙ୍କ ଭଳି ବ୍ୟକ୍ତିଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରାଯିବା ଉଚିତ।
ବିଚାରପତି ମିଥଲ କହିଛନ୍ତି, ଜେଲ୍ରୁ ନିର୍ବାଚନ ଜିତିବା ସହଜ। କିନ୍ତୁ ଏଭଳି ଲୋକଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯିବା ଉଚିତ ନୁହେଁ। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାହିର ହୁସେନଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ପାରୋଲରେ ଛାଡ଼ିଥିଲେ। କିନ୍ତୁ ନିର୍ବାଚନ ପ୍ରଚାର ପାଇଁ ଅନୁମତି ଦେଇ ନଥିଲେ। ଜାମିନ ଆବେଦନ ଖାରଜ ହେଲା ପରେ ତାହିର ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୂଚନାଯୋଗ୍ୟ, ତାହିର ହସେନ ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ। ସେ ୨୦୨୦ର ହିଂସା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଅଭିଯୁକ୍ତ ଅଟନ୍ତି।