ଲକ୍ଷ୍ନୌ: ସହରାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨ ଅଧୀନରେ ଉତ୍ତର ପ୍ରଦେଶ ସରକାର ବୃଦ୍ଧ, ବିଧବା ଓ ପରିତ୍ୟକ୍ତ ମହିଳାଙ୍କୁ ମଧ୍ୟ ଉଲ୍ଲେଖନୀୟ ସହାୟତା ପ୍ରଦାନ କରିବେ। ଏଣିକି ଯୋଗ୍ୟତା ମାନଦଣ୍ଡରେ ମଧ୍ୟମ ଆୟ ବର୍ଗକୁ ସାମିଲ କରି ଅନୁଦାନ ବ୍ୟତୀତ ବୃଦ୍ଧବୃଦ୍ଧାଙ୍କୁ ୩୦ ହଜାର ଟଙ୍କା ଏବଂ ପରିତ୍ୟକ୍ତ ମହିଳା ଓ ବିଧବାଙ୍କୁ ୨୦ ହଜାର ଟଙ୍କା ଅତିରିକ୍ତ ସହାୟତା ମିଳିବ। ନଗର ଉନ୍ନୟନ ବିଭାଗର ସମ୍ପୃକ୍ତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।
ପ୍ରୟାଗରାଜ କୁମ୍ଭରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଜାନୁଆରି ୨୨ତାରିଖରେ ହେବାକୁ ଥିବା କ୍ୟାବିନେଟ୍ ବୈଠକ ପୂର୍ବରୁ ୨୨ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରି ଥିବା ନେଇ ଜାତୀୟ ଗଣମାଧ୍ୟମକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ମାତ୍ର ଏହା କେତେ ଠିକ୍ ଆଗାମୀ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। କୁମ୍ଭରେ କ୍ୟାବିନେଟ୍ ବୈଠକ ପରେ ପାରିତ ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସୂଚନା ଦିଆଯିବ ବୋଲି ଅନୁମାନ କରାଯାଉଛି।
କ୍ୟାବିନେଟ୍ରେ ଅନୁମୋଦନ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସହରାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨ ସହ ଜଡ଼ିତ। ଏହି ଯୋଜନାରେ ଯେଉଁମାନେ ୧୨ ମାସ ମଧ୍ୟରେ ଘର ନିର୍ମାଣ କରିବେ ସେମାନଙ୍କୁ ପୃଥକ ଭାବେ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ। ବର୍ତମାନ ଗୃହ ନିର୍ମାଣ ପାଇଁ ମନୋନୀତ ଯୋଗ୍ୟ ବ୍ୟକ୍ତିଙ୍କୁ ୨.୫୦ ଲକ୍ଷ ଟଙ୍କା ଅନୁଦାନ ଆକାରରେ ଦେବାର ବ୍ୟବସ୍ଥା ରହିଛି।
ଏବେ ରାଜ୍ୟ ସରକାର ବୃଦ୍ଧ, ବିଧବା ଓ ପରିତ୍ୟକ୍ତ ମହିଳାଙ୍କୁ ଅତିରିକ୍ତ ପାଣ୍ଠି ଯୋଗାଇ ସହାୟତା କରିବେ। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଘରକୁ ବିକ୍ରି କିମ୍ବା ଅନ୍ୟ ନାମରେ ସ୍ଥାନାନ୍ତର କରାଯାଇପାରିବ ନାହିଁ। ଚାରୋଟି ବର୍ଗ ବିଶିଷ୍ଟ ଏହି ଯୋଜନାରେ ସୁଧ ସବସିଡି, ହିତାଧିକାରୀଙ୍କ ପାଇଁ ବ୍ୟକ୍ତିଗତ ଆବାସ ନିର୍ମାଣ, ଭାଗିଦାରୀରେ ସୁଲଭ ଗୃହ ନିର୍ମାଣ ଏବଂ ସୁଲଭ ଭଡ଼ା ଆବାସ ଯୋଜନା ଅନ୍ତର୍ଭୁକ୍ତ।