ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨ ତାରିଖରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’ । ଏହା ମାର୍ଚ୍ଚ ୩୦ ତାରିଖ ଯାଏଁ ଖୋଲା ରହିବ ।
ସପ୍ତାହର ୬ ଦିନ ଅମୃତ ଉଦ୍ୟାନ ଖୋଲା ରହିବ । କେବଳ ସୋମବାର ଦିନ ଏହା ବନ୍ଦ ରହିବ । ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ । ରାଷ୍ଟ୍ରପତି ଭବନର ୩୫ ନମ୍ବର ଗେଟ ଦେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ କରିବେ । ସମସ୍ତଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ବସ ସେବା ପ୍ରତି ୩୦ ମିନିଟ ସମୟ ବ୍ୟବଧାନରେ ଚଳାଚଳ କରିବ ।
ଫେବୃଆରୀ ୫, ୨୦ ଓ ୨୧ ଏବଂ ମାର୍ଚ୍ଚ ୧୪ରେ ଏହାକୁ ବନ୍ଦ ରଖାଯିବ । ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ମତଦାନ ହେତୁ ଉଦ୍ୟାନକୁ ବନ୍ଦ ରଖାଯିବ । ସେହିପରି ଫେବୃଆରୀ ୨୦ ଏବଂ ୨୧ ରେ ରାଷ୍ଟ୍ରପତି ଭବନରେ ସମ୍ମିଳନୀ ହେତୁ ଏହାକୁ ବନ୍ଦ ରଖାଯିବ । ମାର୍ଚ୍ଚ ୧୪ ରେ ହୋଲି ପାଇଁ ମଧ୍ୟ ବନ୍ଦ ରହିବ ।
ସେହିପରି କେତେଗୁଡ଼ିଏ ବିଶେଷବ୍ୟକ୍ତିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିନ ରହିଛି । ମାର୍ଚ୍ଚ ୨୬ରେ ସ୍ଵତନ୍ତ୍ର ଭାବେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଉଦ୍ୟାନ ଖୋଲା ରହିବ । ମାର୍ଚ୍ଚ ୨୭ରେ ପ୍ରତିରକ୍ଷା, ପାରାମିଲିଟାରୀ ଏବଂ ପୋଲିସ୍ ଫୋର୍ସ କର୍ମଚାରୀମାନେ ଉଦ୍ୟାନ ବୁଲିବାର ସୁଯୋଗ ପାଇବେ । ଅନ୍ୟପକ୍ଷରେ ମାର୍ଚ୍ଚ ୨୮ରେ ଏସଏଚଜି ମହିଳା ଏବଂ ଆଦିବାସୀ ମହିଳାଙ୍କ ପାଇଁ ଉଦ୍ୟାନ ଖୋଲିବ । ମାର୍ଚ୍ଚ ୨୯ରେ ସ୍ୱତନ୍ତ୍ରଭାବେ ବରିଷ୍ଠ ନାଗରିକମାନେ ଉଦ୍ୟାନ ପରିଦର୍ଶନ କରିପାରିବେ ।