ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପୁରୁଷ ଦଳକୁ ପଛରେ ପକାଇଥିବା ମହିଳା କ୍ରିକ୍ରେଟ ଦଳକୁ ମିଳିଛି ବଡ଼ ପୁରସ୍କାର । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ସଦ୍ୟତମ ତାଲିକାରେ ଉପରକୁ ଉଠିଛନ୍ତି ଭାରତୀୟ ଓପନର୍ ସ୍ମୃତି ମାନ୍ଧାନା । ସେ ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । ଏକମାତ୍ର ଭାରତୀୟ ମହିଳା ଖେଳାଳୀଭାବରେ ସେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି । କିନ୍ତୁ ସେହିଠାରେ ମହିଳା ଟିମର କ୍ୟାପଟେନ୍ ହରମନପ୍ରୀତ ୧୫ତମ ସ୍ଥାନକୁ ଆସି ଯାଇଛନ୍ତି ।
ସ୍ମୃତି ମାନ୍ଧାନା ଆୟରଲ୍ୟାଣ୍ଡ ବିପକ୍ଷରେ ଦମଦାର ବ୍ୟାଟିଂ କରିଥିଲେ । ପ୍ରଥମ ଦିନିକିଆରେ ୪୧ ରନ୍, ଦ୍ୱିତୀୟ ଦିନିକିଆରେ ୭୩ ଏବଂ ତୃତୀୟ ତଥା ଶେଷ ଦିନିକିଆରେ ୧୩୪ ରନ୍ କରିଥିଲେ । ଏହା ସହିତ ସେ ୭୩୮ ପଏଣ୍ଟ ସହିତ ଆଇସିସି ତାଲିକାର ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । ପ୍ରଥମ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଲାରା କୁଲ୍ (୭୭୩ ପଏଣ୍ଟ) ରହିଥିବାବେଳେ ତୃତୀୟ ସ୍ଥାନକୁ ଆସିଛନ୍ତି ଶ୍ରୀଲଙ୍କାର ଚାମାରୀ ଅଟ୍ଟାପଟ୍ଟୁ (୭୩୩ ପଏଣ୍ଟ) ।
ସେହିପରି ଆୟରଲ୍ୟାଣ୍ଡ ବିପକ୍ଷରେ ଦିନିକିଆରେ ପ୍ରଥମ ଶତକ ହାସଲ କରିଛନ୍ତି ଜେମିମା ରୋଡ୍ରିଗ୍ଜ । ସେ ଏବେ ୫୬୨ ପଏଣ୍ଟ ସହିତ ଆଇସିସି ବ୍ୟାଟିଂ ରାଙ୍କିଙ୍ଗର ୧୭ତମ ସ୍ଥାନ ହାସଲ କରିଛନ୍ତି । କିନ୍ତୁ ହରମନପ୍ରୀତ ୧୫ତମ ସ୍ଥାନକୁ ଖସି ଆସିଛନ୍ତି ।
ଅଲରାଉଣ୍ଡର ରାଙ୍କିଙ୍ଗରେ ଭାତରର ଦୀପ୍ତି ଶର୍ମା ୩୪୪ ପଏଣ୍ଟ ସହିତ ଷଷ୍ଠ ସ୍ଥାନ ଗ୍ରହଣ କରିଛନ୍ତି । ଇଲଣ୍ଡର ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ଏଶ୍ଲେ ଗାର୍ଡନର୍ ଶୀର୍ଷ ସ୍ଥାନ ଅଳଙ୍କୃତ କରିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ୪ ୱିକେଟ୍ ନେବା ସହିତ ୧୪୬ ରନ୍ କରିଛନ୍ତି । ଆଇସିସି ବୋଲିଂ ରାଙ୍କିଙ୍ଗରେ ଦୀପ୍ତି ଶର୍ମା ୬୮୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ସୋଫି ଏକ୍ଲେଷ୍ଟୋନ୍ ପ୍ରଥମ ସ୍ଥାନର ରହିଛନ୍ତି ।