ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସ ୬ତାରିଖରୁ ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ମେଳା ୧୨ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ରାଜ୍ୟର ସର୍ବବୃହତ୍ ପ୍ରକାଶକ ସାମ୍ମୁଖ୍ୟ 'ଓଡ଼ିଶା ପ୍ରକାଶକ ସଂଘ' ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି ।
ରାଜ୍ୟ ସରକାର ପକ୍ଷରୁ ସପ୍ତମ ରାଜ୍ୟ ପୁସ୍ତକ ମହୋତ୍ସବ ଆୟୋଜନକୁ ବୈଠକରେ ସଂଘ ସ୍ବାଗତ କରିଛି ଏବଂ ସମସ୍ତ ସହଯୋଗ କରିବା ପାଇଁ ସଂକଳ୍ପ ନେଇଛି। ତେବେ ଏଥର ସରକାର ନୂଆ ନିୟମ କରିଥିବାବେଳେ ଏ ନେଇ କେତୋଟି ପରାମର୍ଶ ରଖିଛି ସଂଘ। ସଂଘ ପକ୍ଷରୁ ଏ ସମ୍ପର୍କିରେ ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚିବ, ସଂସ୍କୃତି ନିର୍ଦ୍ଦେଶକ ଓ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଏକ ପତ୍ର ପଠାଯାଇଛି। ଗାଣତାନ୍ତ୍ରିକ ପଦ୍ଧତିରେ ଷ୍ଟଲ ଆବଣ୍ଟନ ପାଇଁ ଅନୁରୋଧ କରିଛି ଓଡ଼ିଶା ପ୍ରକାଶକ ସଂଘ।
ଷ୍ଟଲ ଆବଣ୍ଟନ ଗାଣତାନ୍ତ୍ରିକ ପଦ୍ଧତିରେ ହେଉ ବୋଲି ସଂଘ ସରକାରଙ୍କୁ ଅନୁରୋଧ କରିଛି। ପ୍ରଥମେ ଷ୍ଟଲ ବୁକିଂ କରିଥିବା ଅନୁଷ୍ଠାନକୁ ପ୍ରଥମେ ସୁଯୋଗ ଦିଆଯାଉ ଅଥବା କେନ୍ଦ୍ର ସରକାରଙ୍କ ନାସନାଲ ବୁକ୍ ଟ୍ରଷ୍ଟ୍ (ଏନ୍ବିଟି) ପୁସ୍ତକମେଳା ନୀତି ଭଳି ଲଟେରୀ ମାଧ୍ୟମରେ ଷ୍ଟଲ କ୍ରମ ସ୍ଥିର କରାଯାଉ ବୋଲି ସଂଘ ପରାମର୍ଶ ଦେଇଛି। ଏ ଦୁଇ ପରାମର୍ଶ ଭିନ୍ନ ସରକାର ଅନ୍ୟ କୌଣସି ଗାଣତାନ୍ତ୍ରିକ ଉପାୟ ମଧ୍ୟ ଅବଲମ୍ବନ କରିପାରିନ୍ତି ବୋଲି ସଂଘ ଅନୁରୋଧ ରଖିଛି। ସରକାର ରାଜ୍ୟ ପୁସ୍ତକମେଳାରେ ଷ୍ଟଲ ପିଛା ଭଡ଼ା ୫,୦୦୦ ଟଙ୍କା ରଖିଥିବାବେଳେ ଏହା ରିହାତି ଦରରେ ଦିଆଯାଉଛି ବୋଲି ନିୟମାବଳୀରେ ଲେଖିଛନ୍ତି।
ରିହାତି ମୂଲ୍ୟରେ ଦିଆଯାଉଥିବାରୁ ଗୋଟିଏ ଅନୁଷ୍ଠାନ ସର୍ବାଧିକ ୬ଟି ଷ୍ଟଲ ନେଇପାରିବେ ବୋଲି ସରକାର କଟକଣା ରଖିଛନ୍ତି। ସଂଘ ନିଜର ପତ୍ରରେ ଉଲ୍ଲେଖ କରିଛି ଯେ, ଏନ୍ବିଟି ପକ୍ଷରୁ ସମ୍ବଲପୁରରେ ଆୟୋଜିତ ପୁସ୍ତକମେଳାରେ ଷ୍ଟଲ ଦର ୫୦୦୦ ଟଙ୍କା ଥିଲା ଏବଂ ଷ୍ଟଲ ସଂଖ୍ୟା ନେଇ କଟକଣା ନଥିଲା। ଏନ୍ବିଟି ପକ୍ଷରୁ ସମ୍ବଲପୁରରେ ବାତାନୁକୂଳିତ ହାଙ୍ଗର ଡୋମ୍ ଭିତରେ ଷ୍ଟଲ ତିଆରି ହୋଇଥିବାବେଳେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ପୁସ୍ତକମେଳାରେ ଖୋଲା ଆକାଶ ତଳେ ସାଧାରଣ ଷ୍ଟଲ ନିର୍ମିତ ହେଉଛି। ତେଣୁ ସରକାର ଷ୍ଟଲ ସଂଖ୍ୟା କଟକଣା ଉଠାଇବା ସହ ଉନ୍ନତମାନର ଷ୍ଟଲ ନିର୍ମାଣ କରନ୍ତୁ ବୋଲି ଅନୁରୋଧ କରାଯାଇଛି।
ଅଧିକ ପଢନ୍ତୁ: ସେମିକଣ୍ଡକ୍ଟର ୟୁନିଟର ଭୂମି ପୂଜନ; ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଭିସିରେ ଯୋଡି ହେଲେ କେନ୍ଦ୍ର ଆଇଟି ମନ୍ତ୍ରୀ