ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଆଜି ଭୁବନେଶ୍ବର ଇନଫୋଭ୍ୟାଲିରେ ବୃହତ ସେମିକଣ୍ଟକ୍ଟର ଉତ୍ପାଦନ ୟୁନିଟ୍ SiCSem ପ୍ରକଳ୍ପର ଭୂମି ପୂଜନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ଏହା ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ। SiCSem ପ୍ରାଇଭେଟ୍ ଲିମିଟେଡ୍ ସେମିକଣ୍ଡକ୍ଟର ପ୍ରକଳ୍ପ ଭୁବନେଶ୍ୱରରେ ପ୍ରତିଷ୍ଠା ହେବା ଏକ ବଡ ପଦକ୍ଷେପ। ଏଥିପାଇଁ ୨ ହଜାର ୬୭ କୋଟି ଟଙ୍କା ନିବେଶ କରିବ ସଂସ୍ଥା। ଏହାଦ୍ୱାରା ୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମେକ୍ ଇନ୍ ଇଣ୍ଡିଆ” ଏବଂ “ଡିଜିଟାଲ୍ ଇଣ୍ଡିଆ” ର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।
ଏହି ପରିପେକ୍ଷୀରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡିଶାରେ ବିକାଶ ହେଉଛି। ସରକାରଙ୍କ ସ୍ବପ୍ନ ଥିଲା ଉନ୍ନତ ମାନର ଶିଳ୍ପ ଓଡ଼ିଶାକୁ ଆସୁ, ଏବଂ ଏହା ସଫଳ ହେଉଛି। ଆଗାମୀ ବର୍ଷରେ ସେମି କଣ୍ଡକ୍ଟର କ୍ଷେତ୍ରରେ ବହୁ ମାତ୍ରାରେ ସୁଯୋଗ ରହିଛି।
କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କୁ ଅନୁରୋଧ ଡାଟା ସେଣ୍ଟର ପଲିସି ଆଣନ୍ତୁ। ଏଥିରେ ଶସ୍ତାରେ ବିଦ୍ୟୁତ, ଗମନାଗମନ ପାଇଁ ରାସ୍ତା, ଆବଶ୍ୟକ ଭିତ୍ତିଭୂମି ଯୋଗାଇବାର ବ୍ୟବସ୍ଥା କରନ୍ତୁ। ଏପରି ହୋଇପାରିଲେ ବହୁ ଡାଟା କମ୍ପାନୀ ଓଡ଼ିଶା ଆସିବେ।
ଅଧିକ ପଢନ୍ତୁ: ଖୋଲିଲା ସୁଭଦ୍ରା ପୋର୍ଟାଲ:୨୧ ବର୍ଷ ହୋଇଥିଲେ ଆଜି ହିଁ ଆବେଦନ କରନ୍ତୁ