ଗଞ୍ଜାମ: ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ଙ୍କ ପାଇଁ ବଢିଲା ଅଡୁଆ। ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସପିଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ। ବ୍ରହ୍ମପୁର ବିଜେପି ବିଧାୟକ କେ.ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସପିଙ୍କୁ ନୋଟିସ କରାଯାଇଛି।
ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସପି ଦେଇଥିବା ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ। ହାଇକୋର୍ଟରେ ବିଚାରାଧୀନ ଥିବା ଏକ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବାରୁ ଏସପିଙ୍କ ଉପରେ ହାଇକୋର୍ଟ ଖପ୍ପା । କାହିଁକି ଏବଂ କେଉଁ କାରଣରୁ ଏସପି ଏଭଳି ବୟାନ ଦେଲେ ସେନେଇ ଜବାବ ତଲବ କରିଛନ୍ତି ହାଇକୋର୍ଟ।
ଏସପିଙ୍କ ବୟାନ କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ତାହାର ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ଏନେଇ ଆସନ୍ତା ୭ ତାରିଖ ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଚାରପତି ଶଶିକାନ୍ତ ମିଶ୍ରଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।