ନୂଆପଡ଼ା ଉପନିର୍ବାଚନ ମାହୋଲ ସରଗରମ ହେବାରେ ଲାଗିଛି। ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି। ଏହାରି ଭିତରେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ ପରେ ଏବେ ମାମଲା ରୁଜୁ ହୋଇଛି। ଜଣେ ବିଜେପି ସମର୍ଥକଙ୍କୁ ବିଜେଡ଼ି ନେତା ଆକ୍ରମଣ କରିବା ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଅଭିଯୋଗ ହୋଇଛି। ଏନେଇ ବିଏନଏସ୍ ଧାରା ୨୯୬, ୩୫୧(୨), (୩), (୫), ୧୨୬(୨), ୧୧୫(୨)ରେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି।
ଅଭିଯୋଗ ମୁତାବିକ,କୋମନା ପାଇକପଡ଼ାର ଜିପ୍ଲ ଆଡ଼ବଙ୍ଗଙ୍କୁ ବିଜେଡ଼ି ନେତାମାନେ କୋମନା ସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକିଥିଲେ। ଅପରାହ୍ନରେ ଜିତୁ ଅଡ଼ବଙ୍ଗ ସେହି ଫାର୍ମ ହାଉସକୁ ଯାଇଥିଲେ। ସେଠି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ। ଆଗରୁ ବିଜେଡ଼ିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛି ବୋଲି କହିଥିଲେ। ସେଠି ଜିତୁଙ୍କୁ ସାର୍ଟ କଲର ଧରି ମାଡ଼ ମାରିଥିଲେ ବବି ଦାସ। ତେବେ ପୋଲିସ ତାଙ୍କୁ ଉଦ୍ଧାର କରିନଥିଲେ ସେ ଜୀବନ ପାଇ ପାରିନଥାନ୍ତେ ବୋଲି ମଧ୍ୟ FIR ରେ ଦର୍ଶାଇଛନ୍ତି। ଏଥିପାଇଁ ଘଟଣାର ତଦନ୍ତ ଦାବି କରି ନ୍ୟାୟ ମାଗିଛନ୍ତି ଅଭିଯୋଗକାରୀ। ସେପଟେ ଏନେଇ ବବି ଦାସ କିମ୍ବା ଅଧିରାଜଙ୍କ ପ୍ରତିକ୍ରିୟା ମିଳିନାହିଁ।
ଅଧିକ ପଢନ୍ତୁ: ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ମାମଲା