ଭୁବନେଶ୍ୱର: ଆଜିଠୁ ୨୧ ବର୍ଷିୟ ଯୁବତୀମାନେ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିପାରିବେ। ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ମାଧ୍ୟମରେ ଆବେଦନ ହେବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କୁ ୨୦ ପୂରି ୨୧ ବର୍ଷ ହୋଇଛି ସେମାନେ ଆବେଦନ କରିପାରିବେ । ନଭେମ୍ବର ୧ ତାରିଖ ସୁଦ୍ଧା ଯେଉଁମାନଙ୍କୁ ୨୧ ବର୍ଷ ପୂରଣ ହେଉଥିବ ସେହିମାନେ ଆବେଦନ କରିପାରିବେ। ଯେଉଁଠି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ସେ ଅଂଚଳକୁ ଛାଡ଼ି ଅନ୍ୟ ସମସ୍ତେ ଆବେଦନ କରିପାରିବେ। ସେମାନେ ଆସନ୍ତା ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା କିସ୍ତି ପାଇବେ। ସେହିଦିନ ଚତୁର୍ଥ ପର୍ଯ୍ୟାୟ କିସ୍ତି ମିଳିବା ସହିତ ନୂତନ ଆବେଦନକାରୀଙ୍କୁ ମଧ୍ୟ କିସ୍ତି ବଣ୍ଟନ କରାଯିବ।
ପୂର୍ବରୁ ମାର୍ଚ୍ଚ ୩୧ରେ ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଆବେଦନକୁ ବନ୍ଦ କରାଯାଇଥିଲା। ସେବେଠାରୁ ପୋର୍ଟାଲ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଫଳରେ ମାର୍ଚ୍ଚ ୩୧ ପରେ ଯେଉଁମାନଙ୍କୁ ୨୧ ବର୍ଷ ହୋଇଯାଇଥିଲା ସେମାନେ ଆଉ ଆବେଦନ କରିପାରିନଥିଲେ। ଏହା ସହିତ ଯେଉଁମାନେ ରାଜ୍ୟ ବାହାରେ ରହିଯାଇଥିଲେ କିମ୍ବା ଯେଉଁମାନେ କୌଣସି କାରଣବଶତଃ ଆବେଦନ କରିପାରିନଥିଲେ, ସେମାନେ ପୁଣି ଥରେ ଆବେଦନ କରିପାରିବାର ସୁଯୋଗ ପାଇବେ । ଶୁକ୍ରବାର ସୁଭଦ୍ରା ପୋର୍ଟାଲକୁ ପୁଣି ଥରେ ଉନ୍ମୋଚିତ ହୋଇଛି । ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ କୋଟିଏ ୯୦ ଲକ୍ଷ ଆବେଦନକାରୀ ସୁଭଦ୍ରାର ତିନୋଟି କିସ୍ତି ପାଇ ସାରିଛନ୍ତି।