ଭୁବନେଶ୍ୱର: ଆସନ୍ତାକାଲିଠୁ ୨୧ ବର୍ଷିୟ ଯୁବତୀମାନେ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିପାରିବେ । ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ମାଧ୍ୟମରେ ଆବେଦନ ହେବ । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । 
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କୁ ୨୦ ପୂରି ୨୧ ବର୍ଷ ହୋଇଛି ସେମାନେ ଆବେଦନ କରିପାରିବେ । ନଭେମ୍ବର ୧ ତାରିଖ ସୁଦ୍ଧା ଯେଉଁମାନଙ୍କୁ ୨୧ ବର୍ଷ ପୂରଣ ହେଉଥିବ ସେହିମାନେ ଆବେଦନ କରିପାରିବେ । ଯେଉଁଠି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ସେ ଅଂଚଳକୁ ଛାଡ଼ି ଅନ୍ୟ ସମସ୍ତେ ଆବେଦନ କରିପାରିବେ । ସେମାନେ ଆସନ୍ତା ମାର୍ଚ୍ଚ ୮, ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା କିସ୍ତି ପାଇବେ । ସେହିଦିନ ଚତୁର୍ଥ ପର୍ଯ୍ୟାୟ କିସ୍ତି ମିଳିବା ସହିତ ନୂତନ ଆବେଦନକାରୀଙ୍କୁ ମଧ୍ୟ କିସ୍ତି ବଣ୍ଟନ କରାଯିବ । 
ପୂର୍ବରୁ ମାର୍ଚ୍ଚ ୩୧ରେ ପ୍ରଥମ ପର୍ଯ୍ୟାୟ ସୁଭଦ୍ରା ଆବେଦନକୁ ବନ୍ଦ କରାଯାଇଥିଲା । ସେବେଠାରୁ ପୋର୍ଟାଲ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଫଳରେ ମାର୍ଚ୍ଚ ୩୧ ପରେ ଯେଉଁମାନଙ୍କୁ ୨୧ ବର୍ଷ ହୋଇଯାଇଥିଲା ସେମାନେ ଆଉ ଆବେଦନ କରିପାରିନଥିଲେ । ଏହା ସହିତ ଯେଉଁମାନେ ରାଜ୍ୟ ବାହାରେ ରହିଯାଇଥିଲେ କିମ୍ବା ଯେଉଁମାନେ କୌଣସି କାରଣବଶତଃ ଆବେଦନ କରିପାରିନଥିଲେ, ସେମାନେ ପୁଣି ଥରେ ଆବେଦନ କରିପାରିବାର ସୁଯୋଗ ପାଇବେ । ଆଜି ସୁଭଦ୍ରା ପୋର୍ଟାଲକୁ ପୁଣି ଥରେ ଉନ୍ମୋଚିତ ହୋଇଛି । ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । 
ପ୍ରଥମ ପର୍ଯ୍ୟାୟରେ ପ୍ରାୟ କୋଟିଏ ୯୦ ଲକ୍ଷ ଆବେଦନକାରୀ ସୁଭଦ୍ରାର ତିନୋଟି କିସ୍ତି ପାଇ ସାରିଛନ୍ତି ।