କଟକ: ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଦୀପ ଜେନାଙ୍କ ବିରୋଧରେ  ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ସେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଥିବା ସମୟରେ ଭୁବନେଶ୍ୱର କ୍ଲବର ସଭାପତି ପଦ କିପରି ଗ୍ରହଣ କରିପାରିଲେ ବୋଲି ଆବେଦନରେ ଦର୍ଶାଯାଇଛି । 
ଜଣେ ସାମ୍ବାଦିକ ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଇଆରସିର ଅଧ୍ୟକ୍ଷ ପଦରେ ଥାଇ ପ୍ରଦୀପ ଜେନା କିପରି ଭୁବନେଶ୍ୱର କ୍ଲବର ସଭାପତି ପଦ ଗ୍ରହଣ କଲେ ସେ ନେଇ ପ୍ରଶ୍ନ ଉଠିଛି । କାରଣ ଓଇଆରସି ଏକ ଗଭର୍ଣ୍ଣିଂ ବଡି ଅଟେ । ଏହା ବିଦ୍ୟୁତ ଦର ନିର୍ଦ୍ଧାରଣ ଏବଂ ବଣ୍ଟନ କରିଥାଏ । ଏହା ଏକ ଅର୍ଦ୍ଧ ବିଚାର ବିଭାଗୀୟ ବ୍ୟବସ୍ଥା ଅଟେ । ଓଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ (୧୯୯୫)ର ସେକସନ୍ ୭ ଅନୁଯାୟୀ ଓଇଆରସିର କୌଣସି ସଦସ୍ୟ କିମ୍ବା କର୍ମଚାରୀ କୌଣସି ଲାଭାନ୍ୱିତ ପଦରେ ରହିପାରିବେ ନାହିଁ । ସେହିପରି ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ ୨୦୦୩ର ଧାରା ୯୦ ଅନୁଯାୟୀ ଏଥିରେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । କାରଣ ଏଥିରେ ବିଦ୍ୟୁତ ଦର ନିର୍ଦ୍ଧାରଣ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ପ୍ରଦୀପ ଜେନାଙ୍କୁ ଓଇଆରସିର ଅଧ୍ୟକ୍ଷ ପଦରୁ ବହିଷ୍କାର କରିବାକୁ ଦାବି ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଭୁବନେଶ୍ୱର କ୍ଲବର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ପ୍ରଦୀପ କୁମାର ଜେନା ୧୮ ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ ।