ଭୁବନେଶ୍ୱର: ରାଜ୍ୟର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ଆଉ କିସମ ପରିବର୍ତ୍ତନ କରିବାକୁ ପଡ଼ିବନି । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । 
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କର ଭ୍ୟାଲୁର ୧ ପ୍ରତିଶତ ଦେବାକୁ ପଡୁଥିଲା। ଆଉ କିସମ ପରିବର୍ତ୍ତନ ପାଇଁ ଯେତିକି ଫି ଦେବାକୁ ପଡୁଥିଲା ତାର ୧ ପ୍ରତିଶତ ଭଡ଼ା ମଧ୍ୟ ଦେବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସରକାର କିସମ ପରିବର୍ତ୍ତନ ଫି ଓ ଭଡ଼ା ଛାଡ଼ ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରର ପୋର୍ଟାଲରେ ଥିବା ସହ ଜିଲ୍ଲା କମିଟି ଅନୁମୋଦିତ ହୋଇଥିଲେ ସୁବିଧା ମିଳିବ । ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଜମି,ଉପକୂଳ ନିୟମିକ ଅଞ୍ଚଳ, ପ୍ରତ୍ନତାତ୍ତିକ ଜମି ଯେଉଁଠି ଅନ୍ୟ ଆଇନ ବଳବତ୍ତର ଅଛି ସେଠି ଏହି ସୁବିଧା ଲାଗୁ ହେବ ନାହିଁ । ଉଦ୍ୟୋଗୀମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ।