ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା କୁଲଡିହା ଅଭୟାରଣ୍ୟ । ବର୍ଷାଋତୁ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ରୁ ବନ୍ଦ ରହିଥିଲା କୁଲଡିହା ଅଭୟାରଣ୍ୟ । ପୁଣି ପର୍ଯ୍ୟଟନ ଋତୁ ଆସିବାରୁ ପ୍ରତ୍ୟେକ ବର୍ଷ ଭଳି ନଭେମ୍ବର ୧ରୁ ଅର୍ଥାତ୍ ଆଜିଠାରୁ ଖୋଲିଲା କୁଲଡିହା ଅଭୟାରଣ୍ୟ ।
ସୂଚନାରୁ ପ୍ରକାଶ ଯେ ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ବର୍ଗ କିମି ବିଶିଷ୍ଟ କୁଲଡିହା ଅଭୟାରଣ୍ୟ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ କରିବ ବନ ବିଭାଗ ସେଥିପାଇଁ ପ୍ରସ୍ତୁତି କରିଛନ୍ତି । ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ଗୟଳ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, ବେଲୋରା ମୂଷା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖାଯାଆନ୍ତି । ସେହିପରି ନନ୍ଦନକାନନରୁ ଜଡ଼ାଚୁଆ ବିଟ ଅଧୀନ ଅସକଲପଦା ଠାରେ ହରିଣ ଆଣି ବର୍ଷକ ତଳୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇ ପରେ ଜଙ୍ଗଲରେ ଛଡ଼ା ଯିବାରୁ ହରିଣ ବଂଶ ଆଶାତୀତ ବୃଦ୍ଧି ହୋଇଛି । କୁଲଡିହାକୁ ଲାଗି ରହିଥିବା ଡ୍ୟାମ୍ ସାତଘାଟି, ଋଷିଆ, ପୁରୁଣାପାଣି, ଜଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀ ପକ୍ଷୀ ଦେଖିବାକୁ ମଧ୍ୟ ମିଳିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଅଭୟାରଣ୍ୟରେ ଝରଣାର ଦୃଶ୍ୟ ମଧ୍ୟ ନିଆରା । ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳଠାରେ "ଋଷିଆ ପ୍ରକୃତି ନିବାସ’ ମଧ୍ୟ ଖୋଲାଯାଇଛି । ରାତ୍ର ରହଣି ନିମନ୍ତେ ୯ଟି ତମ୍ବୁଘର ହୋଇଛି । ଏହା ସହ ନେଚର୍ସ କ୍ୟାମ୍ପ କରାଯାଇ ଖାଦ୍ୟ, ପିଇବା ପାଣି ଏବଂ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ ମାଦକଦ୍ରବ୍ୟ ଉପରେ କଟକଣା ରହିଛି । ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଚାରି ପାଖରେ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି । ଏହି ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାରରୁ କୁଲଡିହା ଅଭୟାରଣ୍ୟର ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରକୃତିର ମଜା ନେଇପାରିବେ । ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍ଲାଇନରେ ବୁକିଂର ବ୍ୟବସ୍ଥା ରହିଛି । ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି ।