ଭୁବନେଶ୍ୱର: ଯାହା ପୂର୍ବରୁ ବର୍ଷ ବର୍ଷ ସମୟ ଲାଗି ଯାଉଥିଲା ତାହା ଏବେ ମାସକରେ ସମ୍ପୂର୍ଣ୍ଣ ହେଉଛି । ଏହା ହେଉଛି ନୂତନ ଭାରତର ଗତି ଏବଂ ଶକ୍ତି । ବେଙ୍ଗାଲୁରୁ ପରେ, ଆଜି ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବରେ ଉଭା ହେଉଛି। "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଭାରତ ଚିପ୍ ରୁ ସିପ୍ ପର୍ଯ୍ୟନ୍ତ ସମସ୍ତ ମିଶନରେ ଆଗକୁ ବଢ଼ୁଛି । ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଓଡିଶା ଏକ ନୂତନ କାହାଣୀ ସୃଷ୍ଟି କରୁଛି । ଆଜି ସେମିକଣ୍ଡକ୍ଟର୍ ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଭୂମିପୂଜନ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି। ଆଜି ଭୁବନେଶ୍ୱରର ଇନ୍ଫୋଭ୍ୟାଲି ଠାରେ ସିକସେମ୍ ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧୦୦୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡିଶାର ବିକାଶ ଯାତ୍ରା ଆହୁରି ମଜବୁତ୍ ହେଉଛି। ଏଥିରେ ଯେଉଁ ସେମିକଣ୍ଡକ୍ଟର ନିର୍ମିତ ହେବ, ତାହା ମିଜାଇଲ, ଇଲେକ୍ଟ୍ରୋନିକ୍ ଗାଡି, ପ୍ରତିରକ୍ଷା ଇକ୍ୟୁପ୍ମେଣ୍ଟ, ରେଲୱେ ଓ ସୌରଶକ୍ତି ଭଳି ଆଧୁନିକ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେହିପରି ଆଜି ଭୁବନେଶ୍ୱର ଆଇ.ଆଇ.ଟି ରେ ମଧ୍ୟ ସିକସେମ୍ କମ୍ପାନୀ ୬୪ କୋଟି ଟଙ୍କା ବିନିଯୋଗରେ ଏକ ରିସର୍ଚ୍ଚ ଏଣ୍ଡ୍ ଇନୋଭେସନ୍ ସେଣ୍ଟର୍ ସ୍ଥାପନ କରିଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏମପି ଲ୍ୟାଡ୍ ଫଣ୍ଡରୁ ୫ କୋଟି ଟଙ୍କା ବିନିଯୋଗ କରି ଆଇ.ଆଇ.ଟି ଭୁବନେଶ୍ୱରରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରି’ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି। ଏହା ସ୍ଥାପନ ହେବା ଦ୍ୱାରା ଛାତ୍ରଛାତ୍ରୀ ମାନେ ସେମିକଣ୍ଡକ୍ଟର ସମ୍ପର୍କରେ ଅଧିକ ଗବେଷଣାର ସୁଯୋଗ ପାଇବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଭାରତ ଚିପ୍ ରୁ ସିପ୍ ପର୍ଯ୍ୟନ୍ତ ସମସ୍ତ ମିଶନରେ ଆଗକୁ ବଢ଼ୁଛି । ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଓଡିଶା ଏକ ନୂତନ କାହାଣୀ ସୃଷ୍ଟି କରୁଛି । ପ୍ରଧାନମନ୍ତ୍ରୀଙ୍କ ସେମିକଣ୍ଡକ୍ଟର ମିଶନ୍ର ସଫଳତାରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଦିଲ୍ଲୀରେ ମଧ୍ୟ ଦୁଇଟି କମ୍ପାନୀ ଓଡ଼ିଶାରେ ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଆଗାମୀ ଦିନରେ ଏହି ଦୁଇ କମ୍ପାନୀ ଓଡ଼ିଶାରେ ପ୍ରାୟ ୩୦୦୦ କୋଟି ଟଙ୍କା ନିବେଶ କରିବେ । ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶରେ ଓଡିଶା ଏକ ହବ୍ ଭାବେ ପରିଗଣିତ ହେବ ।
କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ , ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଆଇ.ଆଇ.ଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କର୍ମଲ୍କର୍, ଆର୍କେନ୍ କେମିକାଲ୍ ଇଣ୍ଡଷ୍ଟ୍ରୀଜ୍ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ରଞ୍ଜିତ ପେଣ୍ଡୁର୍ଥୀ, ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଗୁରୁ ଥାଲ୍ଲାପାନେନୀ, କ୍ଲାସ୍-ସିକ୍ ୱାଫର୍ ଫ୍ୟାବ୍ ଲିମିଟେଡର ଚିଫ୍ ଏକ୍ଜୁକ୍ୟୁଟିଭ୍ ଅଫିସର ମିସ୍ ଜେନିଫର୍ ୱାଲ୍ସ ପ୍ରମୁଖ ଉପସ୍ଥିତ ଥିଲେ।