ଆଉ ତିନି ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ସୁରକ୍ଷା ପାଇଁ ଡ୍ରୋନ ଓ ଇଓ କ୍ୟାମେରାର ବ୍ୟବସ୍ଥା ମଧ୍ୟ ହୋଇଛି । ଏହାସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ୩୬୫ଟି ସ୍ୱତନ୍ତ୍ର ରେଳ ଚଳାଚଳ କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ଘୋଷଯାତ୍ରାରେ ପୁରୀରେ ପ୍ରବଳ ଭିଡ ଓ ଶ୍ରଦ୍ଧାଳୁଙ୍କ ଆଗମନକୁ ସହଜ କରିବା ପାଇଁ ରେଳବାଇ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ରେଳବାଇ ରାଜ୍ୟର ପ୍ରାୟ ସମସ୍ତ ଅଂଚଳରୁ ଟ୍ରେନ ଚଳାଚଳ କରିବା ପାଇଁ ଉଦ୍ୟମ ଜାରି ରଖିଛି ।
ସେହିପରି ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ମଧ୍ୟ ପୁରୀକୁ ଟ୍ରେନ୍ ବି ଗଡ଼ିବ। ଆନ୍ଧ୍ରପ୍ରଦେଶର ପଲାସା, ବିଶାଖାପାଟଣା, ଛତିଶଗଡ଼ର ଜଗଦଲପୁର, ମହାରାଷ୍ଟ୍ରର ଗୋଣ୍ଡିଆ ଓ ପଶ୍ଚିମବଙ୍ଗର କୋଲକାତାରୁ ପୁରୀକୁ ଟ୍ରେନ୍ ଚଳାଚଳ କରିବ। ରଥଯାତ୍ରା ପୂର୍ବରୁ ପୁରୀରେ ଯାତ୍ରୀ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କର ଆହୁରି ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ପୁଲିସ ନିୟୋଜନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟଗୁଡିକୁ ସଠିକ ଭାବେ ପରିଚାଳନା କରିବା ସହ ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ରଥଯାତ୍ରାରେ ଭାଗନେଇ ପାରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।