ଆସ୍କା : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଆଜି ଗଞ୍ଜାମ ଜିଲା ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ‘ଯୁବ ଶକ୍ତି ସମାବେଶ’ ହେଉଛି। ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ସମାବେଶରେ ଛାତ୍ରୀଛାତ୍ରଙ୍କୁ ଦିଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ସକାଳ ୯ଟା ରୁ ୧୦ଟା ସୁଦ୍ଧା ଥିଲା କିନ୍ତୁ ପାଗ ଖରାପ ଯୋଗୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ବଦଳରେ କାର ଯୋଗେ ଭୁବନେଶ୍ୱରରୁ ଆସିକା ଅଭିମୁଖେ ଆସୁଛନ୍ତି। ତେଣୁ କାର୍ଯ୍ୟକ୍ରମରେ କିଛିଟା ବିଳମ୍ବ ହେବ। ଅପରପକ୍ଷେ ଛାତ୍ରୀଛାତ୍ରଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପାରମ୍ପରିକ ନୃତ୍ୟ ଦଳ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି।
ଗଞାମ ଜିଲାର ବିଭିନ୍ନ ମହାବିଦ୍ୟାଳୟରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ସମାବେଶରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚ ଶିକ୍ଷା ତଥା ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ, ବାଣିଜ୍ୟ, ପରିବହନ, ଇସ୍ପାତ୍ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା , ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ, ଆସିକା ବିଧାୟକ ସରୋଜ ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସମେତ ଜିଲାର ସମସ୍ତ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀ ଯୁବ ସମାବେଶରେ ଯୋଗଦେବା ପୁର୍ବରୁ ଆସିକା ମା’ ଖମ୍ବେଶ୍ୱରୀ ମନ୍ଦିର ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ୍ , ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।