ବାରିପଦା: ମୟୁରଭଞ୍ଜ ଜିଲ୍ଲା ୧୮ନମ୍ବର ଜାତୀୟ ରାଜପଥରେ ଦିବାଲୋକରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଶିବାନନ୍ଦ ବାରିକ ।
ସୂଚନା ଅନୁସାରେ, ଶିବାନନ୍ଦ ବାରିକ ମଦ ଦୋକାନରେ କାମ କରୁଥିବାବେଳେ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କକୁ ଯାଉଥିଲେ । ଏହି ସମୟରେ କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ଅଞ୍ଚଳରେ ଦୁର୍ବୃତ୍ତମାନେ ଶିବାନନ୍ଦ ବାରିକଙ୍କୁ ପିଛା କରି ଆକ୍ରମଣ କରିଥିଲେ । ଶିବାନନ୍ଦଙ୍କ ପାଖରୁ ଟଙ୍କା ବ୍ୟାଗ ନେବା ପାଇଁ ଦୁର୍ବୃତ୍ତମାନେ ଚେଷ୍ଟା କରିଥିଲେ ମାତ୍ର ସେ ଦେଇନଥିବାରୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଶିବାନନ୍ଦ ଗୁରୁତର ଆହତ ହୋଇଥିଲେ । ଏନେଇ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ କୁଳିଅଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଟଙ୍କା ଲୁଟ ପାଇଁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି ।