ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ପରେ ବୁଧବାର ବାଚସ୍ପତି ସୁରମା ପାଢ଼ୀ ବିବୃତି ରଖିଛନ୍ତି । ଗତକାଲି ରାତିରେ ନିଲମ୍ବିତ ବିଧାୟକଙ୍କୁ ମାର୍ଶଲମାନେ ବାହାର କରିବାକୁ ନେଇ ବାଚସ୍ପତି ବିବୃତି ଦେଇଛନ୍ତି ।
ବାଚସ୍ପତି ଶ୍ରୀମତି ପାଢ଼ୀ ତାଙ୍କ ବିବୃତିରେ କହିଛନ୍ତି, ଗତ ୭ ତାରିଖରୁ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ । ଏହା ପରେ ୨୦ ତାରିଖରୁ ଘଣ୍ଟ, ଘଣ୍ଟା, ତୂରୀ, ମହୁରୀ ଆଦି ବାଦ୍ୟ ଯନ୍ତ୍ର ବ୍ୟବହାର କରିଥିଲେ । ବିରୋଧୀ ସଦସ୍ୟମାନେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଚାଲିଥିଲେ । ମୋଟ ୧୨ଟି କାର୍ଯ୍ୟ ଦିବସରୁ ୨ଟିରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଚାଲି ଥିଲା। ୨୫ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯ ଘଣ୍ଟା ୨ ମିନିଟ ଗୃହ କାର୍ଯ୍ୟ ଚାଲି ପାରିନଥିଲା। ସେଥିପାଇଁ ମାର୍ଚ୍ଚ ୧୦ ,୧୩, ୨୪ ଓ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡକା ଯାଇଥିଲା । ନିଜ ଆସନରେ ବକ୍ତବ୍ୟ ଉତଥାପନ ନ କରି ଗୃହ ମଧ୍ୟ ଭାଗରେ ପ୍ରତିବାଦ କରୁଥିଲେ । ଜାଣିଶୁଣି ଗୃହ କାର୍ଯ୍ୟକୁ ବନ୍ଦ କରୁଥିଲେ । ୨୧ ତାରିଖରେ ଏଭଳି କାର୍ଯରୁ ନିବୃତ୍ତ ରହିବାକୁ ଉପ ବାଚସ୍ପତି ରୁଲିଂ ଜାରି କରିଥିଲେ । କିନ୍ତୁ ତା ପରେ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ଆସି ନ ଥିଲା । ନିଲମ୍ବନ ଆଦେଶ ପରେ ମଧ୍ୟ ନିଲମ୍ବିତ ସଦସ୍ୟମାନେ ଗୃହ ପରିତ୍ୟାଗ ନ କରି ଭିତରେ ବିଶୃଙ୍ଖଳା ଆଚରଣ କରିଥିଲେ । ମାର୍ଶଲ ମୋ ନିର୍ଦ୍ଦେଶରେ ସେମାନଙ୍କୁ ବାହାରି ଯିବାକୁ କହିଥିଲେ । କିନ୍ତୁ ସେମାନେ ନ ବାହାରି ଘଣ୍ଟ ବଜାଇଥିଲେ । ସେମାନେ ଧାରଣା ଦେବାକୁ କହିବାରୁ ସେ ନେଇ ସବୁ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ରାତି 9ଟାରେ କଂଗ୍ରେସ ସଦସ୍ୟ ଓ ତାଙ୍କ ସହ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ବିଧାନସଭା ବାରଣ୍ଡାକୁ ଆସି ଆକ୍ରମଣ କରିଥିଲେ, କିଛି ମାର୍ଶଲ ଏବଂ ସୁରକ୍ଷାକର୍ମୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଶୃଙ୍ଖଳା ବଢ଼ିବାରୁ ରାତି 2ଟାରେ ମାର୍ଶଲ ପୁଣି ଥରେ ଯାଇଥିଲେ ଏବଂ କିଛି ବିଧାୟକଙ୍କୁ ଗେଟ୍ ବାହାରେ ନେଇ ଛାଡ଼ିଥିଲେ, ଆଉ କିଛି ବିଧାୟକ ସସମ୍ମାନେ ଯାଇଥିଲେ ବୋଲି କହିଛନ୍ତି ବାଚସ୍ପତି ।
ଅନ୍ୟପକ୍ଷରେ ବାଚସ୍ପତିଙ୍କ ବିବୃତିକୁ ଗ୍ରହଣ କରିପାରି ନାହାଁନ୍ତି ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ବାଚସ୍ପତିଙ୍କ ବିବୃତି ଏକପାଖିଆ କହି, ଏହାକୁ ଗ୍ରହଣ କରିପାରିବୁ ନାହିଁ କିମ୍ବା ଆଲୋଚନାରେ ଭାଗ ନେଇ ପାରୁନୁ ବୋଲି କହିଛନ୍ତି ପ୍ରସନ୍ନ ।
ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟରେ ବାଚସ୍ପତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବିବୃତିକୁ ଏକପାଖିଆ କହିବା ଉଚିତ ନୁହେଁ । ନିଲମ୍ବିତ ବିଧାୟକ ଗୃହରେ ରହିବା କଥା ନୁହେଁ । ଯାହା କରିବା କଥା କରାଯାଇଛି ବୋଲି କହିଲେ ବାଚସ୍ପତି ।
ବୁଧବାର ମଧ୍ୟ ଗୃହରେ ଅଚଳାବସ୍ଥା ଲାଗିଥିଲା । ପ୍ରଶ୍ନକାଳ ଚାଲୁଥିବାବେଳେ ବିଜେଡ଼ି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ସେହିପରି କଂଗ୍ରେସର ଦୁଇ ବିଧାୟକ ତାରା ବାହିନୀପତି ଏବଂ ରାଜେଶ ଜେନା ଘଣ୍ଟ ବାଡ଼େଇ ପ୍ରତିବାଦ କରିବାରୁ ନିଲମ୍ବିତ ହୋଇଥିଲେ । ଏହା ପରେ ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାକ୍ଷଣି ବିଜେଡ଼ି ବାଚସ୍ପତିଙ୍କ ବିବୃତି ଦାବି କରି କକ୍ଷତ୍ୟାଗ କରିଥିଲେ । ଗତକାଲି ରାତିରେ କଣ ଘଟିଥିଲା ସେ ନେଇ ବିବୃତି ରଖିବାକୁ ବିଜେଡ଼ି କହିଥିଲା ।