ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ୍ ସପତ୍ନୀ ଓଡ଼ିଶାର ପହଁଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିମାନ ବନ୍ଦରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହି ସ୍ୱାଗତ ଜଣାଇଛନ୍ତି ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଅପରାହ୍ନ ୪ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ୱାର୍ଲ୍ଡ ସ୍କିଲ ସେଣ୍ଟର ମଧ୍ୟ ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି । ସେହିପରି ଆସନ୍ତାକାଲି ୧୮ ତାରିଖରେ ରଘୁରାଜପୁର ହେରିଟେଜ ଭିଲେଜ ବୁଲି ଦେଖିବା ସହ ଆଇଓସିଏଲ ଇଣ୍ଟରପେସନ ପରିଦର୍ଶନ କରିବେ । ପୁରୀ ଗସ୍ତ କରି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବେ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଦୁଇ ଦିନ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋ ସହିତ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କ ସହିତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ସୁଦୃଢ କରିବା ପାଇଁ ଆଲୋଚନା କରିବେ । ବିଶେଷ କରି ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ରହିଛି । ସିଙ୍ଗାପୁର ସରକାରଙ୍କ ସହିତ ଓଡିଶା ସରକାରଙ୍କ ଅନେକ ଗୁ଼ଡିଏ MoU ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ଦ୍ୱାରା ଓଡିଶାରେ ପୁଞ୍ଜି ନିବେଶ ହେବ । ଆମର ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରହିଛି । ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ମଧ୍ୟ ବିପୁଳ ପୁଞ୍ଜି ନିବେଶ ଆସିବ । ସିଙ୍ଗାପୁର ସହିତ ଆମର ସମ୍ପର୍କ ବଢିଲେ, ଏହା ମାଧ୍ୟମରେ ଓଡିଶା ଉପକୃତ ହେବ ।
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ଫୋର୍ସ ଭୁବନେଶ୍ୱରରେ ମୁତୟନ ହୋଇଛନ୍ତି। ସେଥିପାଇଁ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ସମୟରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ନିମନ୍ତ୍ରଣ ରକ୍ଷା କରି ଆଜି ଓଡିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି।