ଭୁବନେଶ୍ବର : ଗୁରୁବାର ଉଦଯାପିତ ହୋଇଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭୁବେନଶ୍ବରର ୟୁନିଟ-୩ ଆଦିବାସୀ ପଡ଼ିଆଠାରେ ଗତ ୧୨ ଦିନବ୍ୟାପୀ ଚାଲିଥିବା ମେଳା ଶେଷ ହୋଇଛି । ଏହି ୧୨ ଦିନ ମଧ୍ୟରେ ୮ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ବେଳେ ପ୍ରାୟତଃ ୧୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିଲା। ଯାହା ପୂର୍ବ ବର୍ଷ ତୁଳନାରେ ଦୁଇ ଗୁଣା ଥିଲା ବୋଲି ଆକଳନ କରାଯାଇଛି।
ଗତକାଲି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ନିତ୍ୟାନନ୍ଦ ଗଣ୍ଡ ମେଳାର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଗୈାରୀଶଙ୍କର ମାଝୀ, କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭଦ୍ରା ଉପସ୍ଥିତ ଥିବା ବେଳେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମିଶ୍ର, ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଡ. ପୋମା ଟୁଡୁ, ଅନୁସୂଚିତ ଜାତି କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ କୁମାର ମଲ୍ଲିକ ମଞ୍ଚାସୀନ ଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ଚଳିତ ବର୍ଷର ଆଦିବାସୀ ମେଳା ଆମ ପାଇଁ ଥିଲା ସ୍ବତନ୍ତ୍ର । ପ୍ରବାସୀ ଭାରତୀୟ ଦିବସ ଆମେ ପାଳନ କରିଛୁ, ପ୍ରଥମ ଥର ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବାରେ ସଫଳତା ପାଇଛୁ । ସେ ଏହା ମଧ୍ୟ କହିଛନ୍ତି, ମୁଖ୍ୟଧାରାର ବିକାଶରେ ଆଦିବାସୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯିବ । ରାଜ୍ୟ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିବା ସହିତ, ଆଦିବାସୀଙ୍କ ସାମୂହିକ ଆକାଂକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ସ୍ୱାର୍ଥ ପ୍ରତି ଯତ୍ନବାନ ହେଉଛନ୍ତି । ଆଦିବାସୀ ସଶକ୍ତିକରଣ ଏବଂ ଜୀବିକା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ସହିତ, ଆଦିବାସୀଙ୍କ ମଧ୍ୟରେ ଅଧିକ ସଚେତନତା ବୃଦ୍ଧି ପାଉଛି । ସେହିପରି ନବରଙ୍ଗପୁର ବିଧାୟକ ଆଦିବାସୀ ମେଳା ଆୟୋଜନର ଭୁରି ଭୁରି ପ୍ରଶଂସା କରିଥିବା ବେଳେ କୋଟପାଡ଼ ବିଧାୟକ ଓଡ଼ିଶା ମାଟିକୁ ଆଦିବାସୀ ପ୍ରଦେଶର ମାଟି ବୋଲି କହିଛନ୍ତି। ଏଥିସହ ଏହି ଉଦଯାପନୀ ସନ୍ଧ୍ୟାରେ ଜର୍ଣ୍ଣାଲ ‘ଆଦିବାସୀ: ୬୪ତମ ଖଣ୍ଡ’ ଉନ୍ମୋଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନର ବାର୍ଷିକ ରିପୋର୍ଟକୁ ମୁଖ୍ୟ ଅତିଥି ଅନାବରଣ କରିଛନ୍ତି ।
୬ ଜଣ ସଫଳ ଜନଜାତି ଚାଷୀ, ୬ ଜଣ କ୍ଷୁଦ୍ର ଉଦ୍ୟୋଗୀ ଓ ଜଣେ ଜନଜାତି କଳାକାରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୩ ଟି ଶ୍ରେଷ୍ଠ କୁଡ଼ିଆ ଓ ୩ ଜଣ ଜନଜାତି ବ୍ୟବସାୟୀଙ୍କୁ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଛି ।
ଚଳିତବର୍ଷ ଅନୁଷ୍ଠିତ ଏହି ମେଳାରେ ଆଦିବାସୀ ଗାଁ, ହାଟ, କଳା ଓ କଳାବସ୍ତୁ ପ୍ରସ୍ତୁତି ପ୍ରଦର୍ଶନୀ, ବିର୍ସା ମୁଣ୍ଡା ଗ୍ୟାଲେରି, ଖାଦ୍ୟ ପ୍ରାଙ୍ଗଣର ଆୟୋଜନ କରାଯାଇଥିଲା। ଏଥିସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଡ୍ରୋନ୍ ସୋ, ଲେଜର୍ ସୋ, ଫାୟାର୍ ସୋ, ଜନଜାତି ଫ୍ୟାସନ୍ ସୋ, ପ୍ରୋଜେକ୍ସନ ମ୍ୟାପିଂ, ଲାଇଟ୍ ଆଣ୍ଡ ସାଉଣ୍ଡ୍ ସୋର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ମେଳାରେ ୧୪୦ଟି ଜନଜାତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଭାଗ ନେଇଥିଲେ। ମୋଟ୍ ୪୯ଟି ଗ୍ରୁପର ୯୮୦ ଜଣ ଜନଜାତି ପ୍ରତିଭା ୭୦ ପ୍ରକାରର ଜନଜାତି ନୃତ୍ୟ ପରିବେଷଣ କରିଥିଲେ। ଯାହା ଦର୍ଶକମାନଙ୍କ ମନକୁ ଖୁବ୍ ଛୁଇଁଥିଲା।