ଭୁବନେଶ୍ୱର: ଶେଷରେ ଧରାଶାୟୀ ହୋଇଛି ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ । ମାଟିରେ ମିଶୁଛି ଆଶ୍ରମ । ବିଡିଏ ପକ୍ଷରୁ ନିର୍ଦ୍ଧାରିତ ସମୟ ଶୁକ୍ରବାର ମଧ୍ୟାହ୍ନ 12ଟା ସମୟରେ ଆଶ୍ରମରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ଅନ୍ତେବାସୀ ଆଶ୍ରମ ଖାଲି କରିବା ପରେ ବୁଲଡୋଜର୍ ଆକ୍ସନ୍ସ ଆରମ୍ଭ ହୋଇଛି । ଉଚ୍ଛେଦ ପ୍ରକ୍ରିୟାର ଭିଡ଼ିଓ ଗ୍ରାଫି କରାଯାଉଛି । ଦୁଇଟି ଜେସିବି ମେସିନକୁ କାମରେ ଲଗାଯାଇଛି । ଏହା ସହିତ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଗୋଟିଏ ପ୍ଲାର୍ଟୁନ୍ ପୋଲିସ ଫୋର୍ସ ଏବଂ 10ଟି ସ୍କ୍ୱାର୍ଡ ମୁତୟନ କରାଯାଇଛି । ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ବିଡିଏ ପକ୍ଷରୁ ତାର ବାଡ଼ କରାଯିବ ବୋଲି କହିଛନ୍ତି ବିଡିଏ ଅଧିକାରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୨୪ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡ଼ିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍ ବୈକୁଣ୍ଠଧାମ ଆଶ୍ରମରେ ମାପଚୁପ କରିଥିଲା । ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ ହୋଇଛି । ଯାହାକୁ ଉଚ୍ଛେଦ କରିବାକୁ ବିଡିଏ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟରେ ପାଠ ଦାଖଲ କରି କହିଥିଲେ ଯେ ଏହା ଏକ ଯୋଗ ଶିକ୍ଷାକେନ୍ଦ୍ର । ଏହା ସହିତ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଚିଠି ସତ୍ୟପାଠରେ ଦିଆଯାଇଥିଲା । ସେଥିପାଇଁ କୋର୍ଟ ଏହା ଉପରେ ରହିତାଦେଶ ଲାଗୁ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହା ମିଥ୍ୟା ସତ୍ୟପାଠ ବୋଲି ହାଇକୋର୍ଟ ଅବଗତ ହେବା ପରେ ଆଶ୍ରମ ଉଚ୍ଛେଦ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
ବୈକୁଣ୍ଠ ଧାମର ଆତ୍ମଘୋଷିତ ବାବା କାଶୀନାଥ ମିଶ୍ର ନିଜ ପୁଅ ସତ୍ୟ ଅନନ୍ତ ମାଧବକୁ କଳକୀ ଅବତାର ବୋଲି କହୁଥିଲେ । ଏଠାକୁ ପ୍ରତିଦିନ ଭକ୍ତଙ୍କ ଆଗମନ ହେଉଥିଲା । ପ୍ରବଚନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲା । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓରେ ପୁଅର ପାଦ ତଳେ ତୁଳସୀ ରଖାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ବାବା କାଶୀନାଥ ଏବଂ ତାଙ୍କ ପୁଅ ଚମ୍ପଟ ମାରିଥିଲେ । ଆଶ୍ରମରୁ ଦାମୀ ବାଇକ୍ ଏବଂ ଚାରି ଚକିଆ ଗାଡ଼ି ମିଳିଥିଲା ।