ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ଅନେକ ଭାରତୀୟଙ୍କ ପାଇଁ କାଳ ସାଜିଛି। ରୁଷ ସେନାରେ ନିୟୋଜିତ ହୋଇ ୟୁକ୍ରେନ୍ ବିରୋଧରେ ଲଢ଼େଇ ସମୟରେ ୧୨ ଜଣ ଭାରତୀୟଙ୍କର ଜୀବନ ଯାଇଛି। ଏହା ବ୍ୟତୀତ ୧୬ ଜଣ ଭାରତୀୟ ନିଖୋଜ ଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଭାରତୀୟ ବିଦେଶ ମନ୍ତ୍ରାଳୟ ତରଫରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି।
ଭାରତୀୟ ବିଦେଶ ମନ୍ତ୍ରାଳୟ ଶୁକ୍ରବାର କହିଛି ଯେ, ଭାରତକୁ ରୁଷ ସୂଚିତ କରିଛି, ରୁଷରେ ସେବାରତ ୧୬ ଜଣ ଭାରତୀୟ ନିଖୋଜ ଅଛନ୍ତି। ସେହିପରି ୧୨ ଜଣ ଭାରତୀୟଙ୍କ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଛି। ଏହି ମାମଲାରେ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ରୁଷ ସେନାରେ ସେବାରତ ଭାରତୀୟ ନାଗରିକମାନଙ୍କ ୧୨୬ ମାମଲା ସାମ୍ନାକୁ ଆସିଛି। ଏହି ୧୨୬ ମାମଲାରେ ୯୬ ଜଣ ଭାରତ ଆସିଛନ୍ତି ଏବଂ ରୁଷ ସଶସ୍ତ୍ର ବଳରୁ ଛୁଟି ମିଳିଛି।
ଶ୍ରୀ ଜୟସ୍ବାଲ କହିଛନ୍ତି ଯେ, ରୁଷ ସେନାରେ ୧୮ ଜଣ ଭାରତୀୟ ଅଛନ୍ତି। କିନ୍ତୁ ସେମାନଙ୍କର ବାବଦରେ ଏବେ ଖବର ଜଣାପଡ଼ି ନାହିଁ। ରୁଷ ପକ୍ଷରୁ ଏମାନଙ୍କୁ ନିଖୋଜ ନେଇ ବର୍ଗୀକୃତ କରାଯାଇଛି। ଆମେ ଏହି ଲୋକମାନଙ୍କୁ ଶୀଘ୍ର ଭାରତକୁ ଫେରାଇବା ପାଇଁ ଦାବି କରିଛୁ।
ସୂଚନାଯୋଗ୍ୟ, ନିକଟରେ ରୁଷ ସେନାରେ ସାମିଲ ଜଣେ କେରଳର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ୩୨ ବର୍ଷୀୟ ବିନିଲ୍ ବାବୁଙ୍କ ମୃତ୍ୟୁକୁ ବିଦେଶ ମନ୍ତ୍ରାଳୟ ଦୁର୍ଭାଗ୍ୟପୂର୍ଣ୍ଣ କୁହାଯାଇଥିଲା। ସେ କହିଛନ୍ତି ମସ୍କୋରେ ଭାରତୀୟ ଦୂତାବାସ ତାଙ୍କର ପାର୍ଥିବ ଶରୀରକୁ ଶୀଘ୍ର ଫେରାଇ ଆଣିବା ପାଇଁ ରୁଷ ପକ୍ଷ ସହିତ ସଂପର୍କରେ ଅଛି। ଯୁଦ୍ଧରେ ଆହତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରୁଷର ରାଜଧାନୀରେ ଚିକିତ୍ସା କରାଯାଉଛି। ତାଙ୍କର ଚିକିତ୍ସା ପୂରା ହେବା ପରେ ତାଙ୍କୁ ଭାରତ ଫେରାଇ ଅଣାଯିବ।
ଚଳିତ ସପ୍ତାହରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସେମାନେ ଏହି ପ୍ରସଙ୍ଗକୁ ରୁଷ ସରକାରଙ୍କ ନିକଟରେ ଦୃଢ଼ତାର ସହ ଉଠାଇଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜୁଲାଇ ମାସରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ବେଳେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଶୀଘ୍ର ମୁକ୍ତ କରିବା ପ୍ରସଙ୍ଗ ଉଠାଇଥିଲେ। ଏହାବ୍ୟତୀତ ଗତ ଅକ୍ଟୋବରରେ କାଜାନରେ ଅନୁଷ୍ଠିତ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଋଷରାଷ୍ଟ୍ରପତିଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ।