ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଭାଇ ବ୍ରଜ କିଶୋର ଦାସଙ୍କ ଘରେ ପଶିଛି ଆୟକର ବିଭାଗ । ଆଇଟି ଟିମ୍ ଏକ ବଡ଼ ଧରଣର ଚଢ଼ାଉ କରୁଛି । ଶୁକ୍ରବାର ଭୋର ୪ଟା ସମୟରୁ ବ୍ରଜ ଦାସଙ୍କର ୪୪ଟି ଠିକଣା ଉପରେ ଚଢ଼ାଉ ହେଉଛି । ଭୁବନେଶ୍ୱର, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ଏବଂ ରାଜ୍ୟ ବାହାରେ ମଧ୍ୟ ଚଢ଼ାଉ କରାଯାଉଛି । ଭୁବନେଶ୍ୱର ଏବଂ ଛତିଶଗଡ଼ର ୫୦ଟି ଟିମ୍ ଚଢ଼ାଉରେ ସାମିଲ ରହିଛନ୍ତି । ତାଙ୍କ ଘର ସମ୍ମୁଖରେ ଫୋର୍ସ ମୁତୟନ କରାଯାଇଛି ।
କୌଣସି ସୂଚନା ପ୍ରଘଟ ହେବା ଆଶଙ୍କାରେ ସ୍ଥାନୀୟ ପୋଲିସକୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ । ବ୍ରଜ କିଶୋର ଦାସ ଜଣେ ସୁପରକ୍ଲାସ୍ କଣ୍ଟ୍ରାକ୍ଟର୍ । ତେବେ କାହିଁକି ଆଇଟି ଟିମ୍ ଚଢ଼ାଉ କରିଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ତେବେ ପୂର୍ବରୁ ମଧ୍ୟ ବ୍ରଜ କିଶୋରଙ୍କ ଘରେ ଆଇଟି ରେଡ୍ କରିଥିଲା । ଏ ସମ୍ପର୍କରେ ଖବର ସଂଗ୍ରହ ଜାରି ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଥିଲା । ଏକାଧିକ ବ୍ୟାଙ୍କରୁ ପ୍ରାୟ ୨୮ କୋଟି ଟଙ୍କା ଋଣ ଆଣି ପରିଶୋଧ କରି ନ ଥିବା ଜଣାପଡ଼ିଥିଲା । ସେହିପରି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା । ତେବେ ତାଙ୍କ ଭାଇ ଓ ପୁଅର ବ୍ୟବସାୟ ପାଇଁ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଥିଲା ।