ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶାକୁ ଆହୁରି ଶିଳ୍ପ ଆସିବ । ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ । ଶୁକ୍ରବାର ୮ଟି ପ୍ରକଳ୍ପକୁ ନେଇ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମଙ୍କ ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଇଣ୍ଡଷ୍ଟ୍ରିଆଲ୍ ପାର୍କ, ପାରାଦ୍ୱୀପ ଗ୍ରୀନ ହାଇଡ୍ରୋଜେନ୍ କରିଡର୍, ପେଟ୍ରୋ କେମିକାଲ, ନ୍ୟୁ ସିଟି ପ୍ଲାନ୍, ନ୍ୟୁ ଏନର୍ଜି, ଫ୍ଲିଣ୍ଟେକ୍, ସ୍କିଲିଂ ଅଫ୍ ଫ୍ୟୁଚର୍ ଓ ସେମି କଣ୍ଡକ୍ଟର୍ ପ୍ରକଳ୍ପରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଏହା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଓଡ଼ିଶାରେ ନୂଆ ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟ ପାଇଁ କିପରି ପୁଞ୍ଜି ନିବେଶ ବଢ଼ିବ ଓ ଶିଳ୍ପ ବଢ଼ିବ ସେଥିପାଇଁ ଗତ ସାତ ମାସ ହେଲା କାମ କରୁଛି । ବିଶେଷ କରି ଉତ୍କର୍ଷ ଓଡ଼ିଶାରେ କିପରି ପୁଞ୍ଜି ନିବେକଶକଙ୍କ ସଂଖ୍ୟା ବଢ଼ିବ ସେଥିପାଇଁ ଦିଲ୍ଲୀ ଓ ମୁମ୍ବାଇରେ କାର୍ଯ୍ୟକ୍ରମ ହୋଇଥିଲା । ସେହିପରି ସିଙ୍ଗାପୁର ଗସ୍ତ କରି ସେଠାକାର ସହିତ କିପରି ସମ୍ପର୍କ ସ୍ଥାପନ ହେବ ସେଥିପାଇଁ ଆଲୋଚନା କରିଥିଲୁ । ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲୁ । ଆମ ନିମନ୍ତ୍ରଣ ରକ୍ଷା କରି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ୍ ସ୍ୱତନ୍ତ୍ରଭାବରେ ଓଡ଼ିଶାକୁ 2 ଦିନିଆ ଗସ୍ତରେ ଆସିଛନ୍ତି ।
ସିଙ୍ଗାପୁର ରାଷ୍ଟ୍ରପତି ଭୁବନେଶ୍ୱରର ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବା ସହିତ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।