ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଡାଲ୍ମିଆ ସିମେଣ୍ଟ ପ୍ଲାଣ୍ଟରେ କୋଇଲା ହପର୍ ଭଶୁଡ଼ିବାକୁ ୨୪ ଘଣ୍ଟା ପୂରିବାକୁ ବସିଥିବାବେଳେ କାହା ପାଖରେ କୌଣସି ସୂଚନା ନାହିଁ । ତେବେ ଏକ ପ୍ରେସ ଇସ୍ତାହାର ଜରିଆରେ ପ୍ରତିକ୍ରିୟା ଜରିଆରେ ମୁହଁ ଖୋଲିଛନ୍ତି ଡାଲମିଆ ପ୍ଲାଣ୍ଟ କର୍ତ୍ତୃପକ୍ଷ । ଅଘଟଣରେ ୩ ଜଣ ଶ୍ରମିକ ନିଖୋଜ ଥିବା କମ୍ପାନୀ କହିଛନ୍ତି । ଆଉ କିଛି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି । ତେବେ କେତେ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି, ସେମାନଙ୍କ ପରିଚୟ ଏବଂ କେଉଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେ ନେଇ କୌଣସି ସବିଶେଷ ତଥ୍ୟା ଦିଆଯାଇ ନାହିଁ । ଯାହାକି ସମସ୍ତଙ୍କ ସନ୍ଦେହକୁ ଦୃଢ଼ୀଭୂତ କରିଛି ।
ଗତକାଲି ସନ୍ଧ୍ୟାରେ ଡାଲ୍ମିଆ ସିମେଣ୍ଟ ପ୍ଲାଣ୍ଟର ୧୨୫ ଟିପିଏଚ୍ ସିଏଫ୍ବିସି ବଏଲରର ଷ୍ଟକ ରଖାଯାଇଥିବା ଦୁଇଟି ଯାକ କୋଇଲା ହପର୍ ଭାଙ୍ଗି ଯାଇଥିଲା । ପ୍ରାୟ ୮୦୦ ଟନ୍ କୋଇଲା ଗୁଣ୍ଡ ଓଜାଡ଼ି ହୋଇପଡ଼ିଥିଲା । ଏହି ସମୟରେ ସେଠାରେ କାର୍ଯ୍ୟରତ ଥିବା ଶ୍ରମିକମାନେ ଚାପି ହୋଇ ରହିଥିଲେ । ଘଟଣାସ୍ଥଳରେ କ୍ରେନ୍, ଆମ୍ବୁଲାନ୍ସ, ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ତହସିଲଦାର, ପଶ୍ଚିମାଞ୍ଚଳ ଡିଆଇଜି, ଜିଲ୍ଲାପାଳ ପ୍ରମୁଖ ପହଁଚିଥିଲେ । ଶତାଧିକ ସ୍ଥାନୀୟ ଲୋକ ମଧ୍ୟ ରୁଣ୍ଡ ହୋଇଥିଲେ ।
ତେବେ ଗତକାଲିଠାରୁ ଆଜି ଯାଏ କେତେ ଜଣ ଶ୍ରମିକ ଫସି ରହିଛନ୍ତି ଏବଂ କେତେ ଜଣଙ୍କୁ ଉଦ୍ଧାର କରାଯାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ ।