ନୂଆଦିଲ୍ଲୀ: ଅଲିମ୍ପିକ୍ ବିଜେତା ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି । ଦୁଇ ଦଶନ୍ଧିର କ୍ରୀଡ଼ା ଜୀବନରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଶରୀର ସାଥ୍ ଦେଉନଥିବାରୁ ସେ ଆଉ ଆଗକୁ କୌଣସି ମ୍ୟାଚ୍ ଖେଳିବେ ନାହିଁ ବୋଲି ଏକ ପୋଡ଼କାଷ୍ଟରେ କହିଛନ୍ତି ।
ସାଇନା ପୋଡ଼କାଷ୍ଟରେ ସ୍ୱୀକାର କରି କହିଛନ୍ତି, ଦୁଇ ବର୍ଷ ପୂର୍ବେ ଶେଷ ଥର ପାଇଁ ଖେଳିଥିଲି । ମୁଁ ମୋ ନିଜ ସର୍ତ୍ତରେ କ୍ରୀଡ଼ା ଜଗତକୁ ଆସିଥିଲି ଏବଂ ନିଜ ସର୍ତ୍ତରେ ଛାଡ଼ୁଛି । ତେଣୁ ଏଥିପାଇଁ କୌଣସି ଆନୁଷ୍ଠାନିକ ଘୋଷଣା କରିବାର ଆବଶ୍ୟକତା ନାହିଁ । ଯଦି ତୁମେ ଖେଳିବାକୁ ଆଉ ସମର୍ଥ ନୁହଁ, ତାହା ଚଳିବ । ତାଙ୍କ ଆଣ୍ଠୁରେ ଗମ୍ଭୀର ସମସ୍ୟା ଏବଂ ଲଗାତର ଅଧିକ ଯନ୍ତ୍ରଣା ଯୋଗୁଁ ଆଉ ଅଧିକ ଉଚ୍ଚ ସ୍ତରୀୟ ପ୍ରଶିକ୍ଷଣ ନେବା ସମ୍ଭବ ହେଉନାହିଁ । ଅନେକ ଆଘାତରୁ ଲଢ଼ି ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଏବେ ଆଉ ସେପରି ହେଉ ନାହିଁ ବୋଲି ସାଇନା କହିଛନ୍ତି ।
ଦୀର୍ଘ ୨୧ ବର୍ଷର ଲମ୍ବା କ୍ରୀଡ଼ା ଜୀବନରେ ସାଇନା ଅନେକ ସଫଳତା ହାସଲ କରିଛନ୍ତି । ଅଲିମ୍ପିକ୍ ପଦକ, ବିଶ୍ୱ ଚାମ୍ପିଅନସିପ୍, ବିଶ୍ୱର ୧ ନମ୍ବର ରାକିଂ ଏବଂ ୧୦ଟି ସୁପର୍ ସିରିଜ୍ ଆଦି ଅନ୍ତର୍ଭୁକ୍ତ ରହିଛି । ୨୦୧୨, ଲଣ୍ଡନ ଅଲମ୍ପିକରେ ସାଇନା କାଂସ୍ୟ ପଦକ ହାସଲ କରିଥିଲେ । ସେ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ଭାବେ ଏହି କୃତିତ୍ୱ ହାସଲ କରିଥିଲେ । ୨୦୨୩ରେ ସିଙ୍ଗାପୁର ଓପନରେ ଶେଷ ଥର ପାଇଁ ଖେଳି ଥିଲେ । ଏହା ପରେ ତାଙ୍କୁ ଆଉ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ଦେଖିବାକୁ ମିଳିନାହିଁ ।
୨୦୧୬ ରିଓ ଅଲମ୍ପିକ ପୂର୍ବରୁ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ହୋଇଥିଲା । ଯାହା ତାଙ୍କ ଜୀବନରେ ମୋଡ଼ ଆଣିଥିଲା । ତଥାପି ସେ ଏଥିରୁ ବାହାରି ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ପ୍ରତ୍ୟାବର୍ତ୍ତନ କରି ବ୍ରୋଞ୍ଜ ଜିତିଥିଲେ ।