ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିକୁ ୨୯ତମ ନୂତନ ଅଧ୍ୟକ୍ଷ ମିଳିଛି । ସୋମବାର ନୀତିନ ନବୀନ ବିଜେପିର ରାଷ୍ଟ୍ରୀୟ ସଭାପତି ଆସନ ଅଳଙ୍କୃତ କରିଛନ୍ତି । ନଡ୍ଡା ପରେ ସୋମବାରଠାରୁ ବିଜେପିରେ ଆରମ୍ଭ ହୋଇଛି ନବୀନ ଯୁଗ ।
ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଭବ୍ୟ ସ୍ୱାଗତ ସମାରୋହରେ ନୂଆ ସଭାପତି ନୀତିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୁଲ ମାଳ ପିନ୍ଧାଇ ଦଳକୁ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜଣାଇନ୍ତି । ଏହି ସଂଗଠନ ପର୍ବରେ ପୂର୍ବତନ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜନାଥ ସିଂ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
ଗତକାଲି କାର୍ଯ୍ୟକାରୀ ସଭାପତି ଥିବା ନୀତିନ ନବୀନ ଏକମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଭରିଥିଲେ । କେବଳ ଜଣେ ପ୍ରାର୍ଥୀ ଥିବାରୁ ନିର୍ବାଚନ ହୋଇନଥିଲା । ଆଜି ନବୀନଙ୍କ ନାମକୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରାଯାଇଛି ।
୨୩ ମେ ୧୯୮୦ ମସିହାରେ ଝାଡ଼ଖଣ୍ଡର ରାଞ୍ଚିରେ ନୀତିନ ନବୀନ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ବାପା ନବୀନ କିଶୋର ପ୍ରସାଦ ସିହ୍ନା ପୂର୍ବତନ ବିଜେପି ନେତା ଏବଂ ବିଧାୟକ ଥିଲେ । ବାପାଙ୍କ ଦେହାନ୍ତ ପରେ ୨୦୦୬ରେ ନୀତିନ ରାଜନୀତିରେ ପ୍ରବେଶ କରିଥିଲେ । ସେହିବର୍ଷ ଅନୁଷ୍ଠିତ ବିହାର ବିଧାନସଭା ଉପନିର୍ବାଚନରେ ହିଁ ସେ ତାଙ୍କର ବିଜୟ ଅଭିଯାନ ଆରମ୍ଭ କରିଥିଲେ । ବିଧାନସଭା ଆସନ ପୁନର୍ଗଠନ ପରେ ସେ ବାଙ୍କିପୁରରୁ ପ୍ରତିନିଧିତ୍ୱ କରିଥିଲେ । ୨୦୧୦, ୨୦୧୫, ୨୦୨୦ ଏବଂ ୨୦୨୫ ବିଧାନସଭା ନିର୍ବାଚନରେ ପାଞ୍ଚ ଥର ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ସହିତ ତିନି ଥର ମନ୍ତ୍ରୀ ରହିସାରିଛନ୍ତି ।
ନବୀନ ବିଜେପିରେ ଅନେକ ସାଂଗଠନିକ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ବିଜେୱାଇଏମ୍ ବିହାରର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ବିଜେୱାଇଏମ୍ ସହିତ ତାଙ୍କର ସମ୍ପର୍କ ସମୟରେ, ସେ ଯୁବ ସଂଗଠନ ଅଭିଯାନରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଜମ୍ମୁ ଏବଂ କାଶ୍ମୀରରେ ଜାତୀୟ ଏକତା ଯାତ୍ରା ଏବଂ ୧୯୬୫ ଯୁଦ୍ଧର ଶହୀଦମାନଙ୍କ ସ୍ମୃତିରେ ଗୌହାଟିରୁ ତୱାଙ୍ଗ ପର୍ଯ୍ୟନ୍ତ ଏକ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା ଅନ୍ତର୍ଭୁକ୍ତ । ସେ ସିକିମର ବିଜେପି ପ୍ରଭାରୀ ଏବଂ ଛତିଶଗଡ଼ର ସହ-ପ୍ରଭାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେହି ରାଜ୍ୟଗୁଡ଼ିକରେ ସାଂଗଠନିକ କାର୍ଯ୍ୟକଳାପ ଏବଂ ନିର୍ବାଚନ ପ୍ରଚାରରେ ଯୋଗଦାନ ଦେଇଛନ୍ତି।
୨୦୨୦ରେ ଜେପି ନଡ୍ଡା ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟକାଳ ଜାନୁଆରୀ ୨୦୨୩ରେ ଶେଷ ହୋଇଥିଲା । ବିଜେପିରେ ପ୍ରତି ତିନି ବର୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ତାଙ୍କର କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସେ ୨୦୨୫ ଯାଏଁ ସଭାପତି ଦାୟିତ୍ୱ ତୁଲାଇଥିଲେ । ଏହା ପରେ ବିଜେପି ଗତ ଡିସେମ୍ବର ୧୪ ତାରିଖରେ ନୀତିନ ନବୀନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପାଇଁ ଘୋଷଣା କରିଥିଲା ।