ରାଜ୍ୟରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଇବାରେ ଳାଗିଲାଣି । ୨୪ଘଣ୍ଟା ମଧ୍ୟରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି ପାଇଛି । ସ୍କ୍ରବ ଟାଇଫସରେ ଜଣଙ୍କ ଜୀବନ ଯାଇଥିବାବେଳେ ବର୍ତ୍ତମାନ ଆଉ ଜଣେ ଗୁରୁତର ହୋଇ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ୭୪ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୨୦ ପଜିଟିଭ ବାହାରିଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ ସିଡିଏମ୍ଓ ପରାମର୍ଶ ଦେଇଛନ୍ତି । ଏହି ରୋଗ ଏକ ନିର୍ଦ୍ଦିଷ୍ଟ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
ଗତ ୨୬ ତାରିଖରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୮୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କଲାବେଳେ ଏଥିରେ ୧୪ ଜଣ ପଜିଟିଭ ରୋଗୀ ଚିହ୍ନଟ ହୋଇଥିଲେ ଯାହାଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୪କୁ ବୃଦ୍ଧି ପାଇଛି । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ହେଉଥିବାର ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ସଂକ୍ରମଣ ରୋକିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ରାଜ୍ୟର ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ଏହି ସଂକ୍ରମଣ ବଢୁଛି । ଏହି ରୋଗର ନିରାକରଣ ପାଇଁ ଏହି ଦୁଇଟି ଜିଲ୍ଲାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଯାଇଛି । ସ୍କ୍ରବ୍ ଟାଇଫସ୍ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଯାଉଛି। ଏହି ରୋଗ ବିଷୟରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ASHA) ଏବଂ ସହାୟକ ନର୍ସ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । 'ଚିଗର' ପୋକ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ । ପ୍ରଥମେ ରୋଗୀ ଶରୀରରେ ଘା ଭଳି ସୃଷ୍ଟି ହୁଏ ଓ ତାପରେ ଘା ଚାରିପାଖ ନାଲି ପଡ଼ିଯାଏ । ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ରୋଗୀଙ୍କୁ ଜ୍ୱର ହେବା ସହ ଦେହ ହାତ ଘୋଳାବିନ୍ଧା ହୁଏ । ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ସ୍କ୍ରବ ଟାଇଫସ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଅଧିକ ପଢନ୍ତୁ; ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼