ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ନଡା ଜଳାଇବା ପ୍ରସଙ୍ଗକୁ ନେଇ କଡା ଆଭିମୁଖ୍ୟ ଆପଣେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଯେଉଁ ଚାଷୀମାନେ ବାରମ୍ବାର ନିୟମ ଭାଙ୍ଗୁଛନ୍ତି ପ୍ରଥମେ ସେମାନଙ୍କୁ ଜେଲ୍ ପଠାଇ ଦିଅନ୍ତୁ । ଯଦି ନଡା ଜଳାଉଥିବା କିଛି ଲୋକଙ୍କୁ ଜେଲ୍ ପଠାଇ ଦେବା ତେବେ ସବୁ ଠିକ୍ ହୋଇଯିବ କାରଣ ଏହା ଅନ୍ୟ ଲୋକଙ୍କ ପାଇଁ ଏହା ଉଦାହରଣ ସୃଷ୍ଟି କରିବ ।
କୋର୍ଟ କଠୋର ସ୍ୱରରେ କହିଛନ୍ତି, ନଡା ଜଳାଉଥିବା କୃଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏହା ସହିତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତର୍ଣ ବୋର୍ଡ ଓ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗଙ୍କୁ 3 ମାସ ଭିତରେ ସବୁ ଖାଲି ପଦରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଦିଲ୍ଲୀ-ଏନସିଆରରେ ପ୍ରତି ବର୍ଷ ଅକ୍ଟୋବରରେ ହେଉଥିବା ବାୟୁ ପ୍ରଦୂଷଣ ସଂପର୍କିତ ଯାଚିକା ଉପରେ ଶୁଣାଣି କରି ଦେଶର ପ୍ରଧାନ ବିଚାରପତି(ସିଜେଆଇ) ବିଆର ଗବାଇ ବୁଧବାର କହିଛନ୍ତି, କିଛି କୃଷକଙ୍କୁ ନଡା ଜଳାଇବା ପାଇଁ ଜେଲ ପଠାଇଲେ ଅନ୍ୟ ମାନଙ୍କ ପାଇଁ କଡା ସନ୍ଦେଶ ହୋଇପାରେ । ଆପଣମାନେ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ।
ସୁପ୍ରିମକୋର୍ଟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଖାଲି ପଦକୁ ନେଇ ରାଜ୍ୟଗୁଡିକୁ ତାଗିଦ କରିଛନ୍ତି । ଦିଲ୍ଲୀ ସଂଲଗ୍ନ ରାଜ୍ୟ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଓ ପଞ୍ଜାବକୁ ତିନି ମାସ ଭିତରେ ଖାଲି ପଦ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ବାୟୁ ପ୍ରଦୂଷଣ କେମିତି ରୋକାଯାଇ ପାରିବ ଏବଂ ଏହା ନେଇ କଣ ଉପାୟ ରହିଛି ତା ଉପରେ ତିନି ସପ୍ତାହରେ ରିପୋର୍ଟ ଦେବାକୁ ବାୟୁଣ ଗୁଣବତ୍ତା ପ୍ରବନ୍ଧନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Also read: ଯେବେ ମୁଁ ସିଏମ ହେବି; ନରେନ୍ଦ୍ର ମୋଦୀ ଶପଥର ୩୨ ବର୍ଷ ପୂର୍ବେ କରିଥିଲେ ଭବିଷ୍ୟତବାଣୀ...