ଭୁବନେଶ୍ୱର: ମୃତ ହୋମଗାର୍ଡ ପ୍ରଦୀପ କୁମାର ମାର୍ଥାଙ୍କ ପରିବାର ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଆଇପିଏସ୍ ଅଧିକାରୀମାନେ। ସୋମବାର ଅପରେସନ୍ ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାର୍ଥାଙ୍କ ପରିବାରକୁ ୬ ଲକ୍ଷ ୫୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ଡିଜିପି (ଆଣ୍ଟି-ନକ୍ସଲ ଅପରେସନ୍ସ) ସଞ୍ଜୀବ ପଣ୍ଡା ମୃତ ହୋମଗାର୍ଡଙ୍କ ପତ୍ନୀ ଉର୍ମିଳା ମାର୍ଥାଙ୍କୁ ଏହି ଅର୍ଥରାଶିର ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ଆଇଜି (ଅପରେସନ୍ସ) ଦୀପକ କୁମାର ମଧ୍ୟ ଉପସ୍ଥିତ ଥିଲେ।
ପ୍ରଦୀପ କୁମାର ମାର୍ଥା ଭୁବନେଶ୍ୱରସ୍ଥିତ ଆଇପିଏସ୍ ମେସ୍ରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୨୦୨୬ ଏପ୍ରିଲ ୨୪ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ରଦୀପଙ୍କ ପରିବାରକୁ ଏହା ପ୍ରଥମ ସହାୟତା ନୁହେଁ। ଗତ ଜୁନ୍ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଉର୍ମିଳାଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମିଳିଥିଲା। ଏହାର ପରଦିନ, ଜୁନ୍ ୧୮ରେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ସଂଘର ସଭାପତି ଏଲ୍.ସି. ଅମରନାଥନ୍ ମଧ୍ୟ ୧ ଲକ୍ଷ ୧୨ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ଅନ୍ୟପଟେ, ପରିବାରକୁ ଆଉ ଏକ ବଡ଼ ସହାୟତା ମିଳିଛି। ଅଗଷ୍ଟ ୧୫ ତାରିଖରେ ଉର୍ମିଳା ମାର୍ଥାଙ୍କୁ ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ରେ ହୋମଗାର୍ଡ ଭାବେ ନିଯୁକ୍ତି ଦିଆଯାଇଛି।
ଓଡ଼ିଶା ପୋଲିସ କହିଛି, ଏହି ସହାୟତା କେବଳ ଆର୍ଥିକ ସହଯୋଗ ନୁହେଁ, ବରଂ କଠିନ ସମୟରେ ପରିବାର ପ୍ରତି ବିଭାଗର କର୍ତ୍ତବ୍ୟବୋଧ, ମାନବିକତା ଓ ଏକତାର ପ୍ରତିଫଳନ। ଏହା ପରିବାରର ମନୋବଳ ବଢ଼ାଇବା ସହ ସୁରକ୍ଷିତ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ବୋଲି ଅଧିକାରୀମାନେ କହିଛନ୍ତି।