ସମ୍ବଲପୁର: ପବିତ୍ର ଅକ୍ଷୟ ତୄତୟା ତିଥିରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଅନୁକୂଳ ହୋଇଛି। ଏହି ପ୍ରସିଦ୍ଧ ପର୍ବର ଅନନ୍ୟ ପରମ୍ପରା କନ୍ୟା ପିତାମାତା ଚୟନ ସହ ଥାଳ ଉଠା କାର୍ଯ୍ୟଟି ସମାପିତ ହୋଇଛି। ଶୀତଳଷଷ୍ଠୀର ଅନନ୍ୟ ଆଦ୍ୟ ପରମ୍ପରା ଥାଳ ଉଠା ପାଇଁ ସମ୍ବଲପୁର ସହରର ସବୁ ଶୀତଳଷଷ୍ଠୀ କମିଟି ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା। ପବିତ୍ର ଅକ୍ଷୟ ତୄତିୟା ତିଥିରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଅନୁକୂଳ ହୋଇ ଚଳିତ ବର୍ଷ ଦେବଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଶୁଭବିବାହ ପାଇଁ କନ୍ୟା ମାତାପିତାଙ୍କ ଚୟନ ସହ ଯାତ୍ରା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟ ମଧ୍ୟ ଶୁଭାରମ୍ଭ ହୋଇଛି ।
ସମ୍ବଲପୁର ଝାଡୁଆପଡାର ଲୋକନାଥ ବାବା,ମୁଦିପଡାର ଯାଗେଶ୍ୱର ବାବା, ନନ୍ଦପଡାର ବାଲୁଙ୍କେଶ୍ୱର ବାବା, ବଡବଜାରର ଶୀତଲେଶ୍ୱର ବାବାଙ୍କ ସହ ସବୁ ଯାତ୍ରା କମିଟି ପକ୍ଷରୁ ଥାଳ ଉଠା କାର୍ଯ୍ୟ କରାଯିବା ସହ ଷଷ୍ଠୀଯାତ୍ରାଟି ଅନୁକୂଳ ହୋଇଥିଲା । ତେବେ ଚଳିତ ବର୍ଷ ଝାଡୁଆପଡାର ଲୋକନାଥ ବାବାଙ୍କ ଶୀତଳଷଷ୍ଠୀ ଯାତ୍ରାରେ ମାତା ପାର୍ବତୀଙ୍କୁ କନ୍ୟାଦାନ କରିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ଏଥିପାଇଁ ଝାଡୁଆପଡାର ଶୀତଳଷଷ୍ଠୀ ଯାତ୍ରାରେ ଥାଳ ଉଠା କାର୍ଯ୍ୟ ସମୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିଜ ଧର୍ମପତ୍ନୀଙ୍କ ସହ ଉପସ୍ଥିତ ରହିଥିଲେ।
ଅନ୍ୟପକ୍ଷରେ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଥାଳ ଉଠା ପାଇଁ ମନ୍ଦିରମାନଙ୍କରେ ଘଣ୍ଟ ,ଶଙ୍ଖ, ବାଜା ସହ ହର ହର ମହାଦେବ ଧ୍ୱନି ମଧ୍ୟରେ ସବୁ ଶୀତଳଷଷ୍ଠୀ ଥାଳ ଉଠା ସ୍ଥାନ ପ୍ରକମ୍ପିତ ହେଉଥିଲା। ଏଥିରେ ପୂଜକଙ୍କ ସମେତ ଯାତ୍ରା କମିଟିର ସଭ୍ୟଙ୍କ ଉପସ୍ଥିତରେ ରିତିନିତି ଅନୁସାରେ ପୂଜାବିଧି କରାଯିବା ସହ ଥାଳ ଉଠା ପରମ୍ପରା ସବୁ ସମାପନ କରାଯାଇଥିଲା । ଏହାସହ ଯାତ୍ରା କମିଟି ତରଫରୁ ସବୁ ଯାତ୍ରା କମିଟିର କନ୍ୟା ମାତା ପିତା ଓ ସଭ୍ୟ ମାନେ ଥାଳ ଧରି ନିଜ ନିଜ ସାହି ପଡିଶାରେ ପାଣ୍ଠି ସଂଗ୍ରହ କରିଥିଲେ । ପବିତ୍ର ଅକ୍ଷୟ ତୄତିୟାରେ ଥାଳ ଉଠା ପର୍ବ ସମାପ୍ତି ହେବା ସହ ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଅନୁକୂଳ ହୋଇଛି । ତେବେ ଶୀତଳଷଷ୍ଠୀରେ ମାତା ପାର୍ବତୀଙ୍କ କନ୍ୟା ଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କନ୍ୟା ପିତାମାତା ଏହି ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଥିଲେ ।