ଭିତରକନିକା: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ଆଗାମୀ ତିନି ମାସ ଧରି ଏହା ବନ୍ଦ ରହିବ । ବର୍ତମାନ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଚାଲିଥିବା ବେଳେ ସେମାନଙ୍କ ସୁରକ୍ଷାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଥିବା ଏହି ଉଦ୍ୟାନ ମେ ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ତିନି ମାସ ଧରି ବନ୍ଦ ରହିବ ।
ବର୍ତମାନ କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହି ସମୟରେ ପର୍ଯ୍ୟଟକଙ୍କ ଉପସ୍ଥିତି କୁମ୍ଭୀରଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ । ଏବଂ ଏହି ସମୟରେ ମାଈ କୁମ୍ଭୀର ମାନେ ବିପଦ ଅନୁଭବ କରିଲେ ଆକ୍ରମଣାତ୍ମକ ହୋଇପଡନ୍ତି । ଏହି ସମୟରେ ମାଈ କୁମ୍ଭୀର ମାନେ ବସା ବାନ୍ଧିବା ସହିତ ୫୦ ରୁ ୬୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି । ଅଣ୍ଡା ଜଗିବା ସହିତ ଅଣ୍ଡା ଫୁଟିବା ପର୍ଯ୍ୟନ୍ତ କୁମ୍ଭୀର ମାନେ ଖୁବ ଆକ୍ରମଣାତ୍ମକ ହୋଇଥାନ୍ତି ।
ଏହି ସମୟରେ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଏଠାରେ ପ୍ରବେଶ ମନା କରାଯାଇଛି । ସ୍ଥାନୀୟ ଲୋକେ ମହୁ, କାଠ ତଥା ଅନ୍ୟାନ୍ୟ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ କରିବା ସମୟରେ କୁମ୍ଭୀର ମାନେ ନିଜ ପ୍ରତି ବିପଦ ମନେ କରି ଆକ୍ରମଣ କରିବାର ସମ୍ଭାବନା ରହିଛି ।
କୁମ୍ଭୀର ଗଣନା ପରିସଂଖ୍ୟାନ ଅନୁଯାୟୀ ୨୦୨୫ରେ ଭିତରକନିକାରେ ବର୍ତ୍ତମାନ ସୁଦ୍ଧା ୧୮୦୦ ରୁ ଉର୍ଧ୍ଵ କୁମ୍ଭୀର ବସବାସ କରୁଛନ୍ତି । ସେମାନଙ୍କ ସୁରକ୍ଷା ଲାଗି ପ୍ରଶାସନ ଓ ଭିତରକନିକା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଉଛନ୍ତି ।