ନୂଆଦିଲ୍ଲୀ: ଭାରତ ଚୀର ଶତ୍ରୁ ପାକିସ୍ତାନ ସବୁବେଳେ ନିଜର ଦୋମୁହାଁ ନୀତି ପାଇଁ ଲଜ୍ଜିତ ହେଉଥିବା ସତ୍ତ୍ୱେ ତାର ହରକତରୁ ବାଦ ଆସୁନି । ଗୋଟିଏ ପଟେ ପହଲଗାମ ଆତଙ୍କାବାଦୀଙ୍କୁ ଖୋଜିବାକୁ ବିଶ୍ୱ ସଂଗଠନ ନିକଟରେ ପ୍ରସ୍ତାବ ରଖୁଥିବାବେଳେ ଅନ୍ୟପଟେ ଆତଙ୍କୀ ସଂଗଠନ ମୁଖ୍ୟ ଘରେ ପୋଷୁଛି । ଲାହୋରରେ ରହୁଥିବା ଲକ୍ସର-ଏ-ତୋଏବା ଏବଂ ଜମାତ୍-ଉତ୍-ଦାୱା ଆତଙ୍କୀ ସଂଗଠମର ମୁଖ୍ୟ ହାଫିଜ୍ ସଇଦ୍ ସୁରକ୍ଷା ବଢ଼ାଇଛି ପାକିସ୍ତାନ ସରକାର । ପହଲଗାମ ଆକ୍ରମଣର ପ୍ରତିଶୋଧ ଭୟରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଥିବା ସୁତ୍ରରୁ ପ୍ରକାଶ ।
ଲହୋରର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ମହଲ୍ଲାରେ ଆତଙ୍କବାଦୀ ହାଫିଜ୍ ରହୁଥିବା ଜଣାପଡ଼ିଛି । ତା ବାସଭବନ ନିକଟରେ ମଦ୍ରାସା, ମସଜିଦ୍ ଓ ପାର୍କ ମଧ୍ୟ ରହିଛି । ତାର ଘରକୁ ଏକ ଅସ୍ଥାୟୀ ଜେଲ ଭାବେ ବ୍ୟବହାର କରାଯାଉଛି । ସେଥିପାଇଁ ସେଠାରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ 1 କିଲୋମିଟର ପର୍ଯ୍ୟନ୍ତ ଦୂରତା ପର୍ଯ୍ୟନ୍ତ ଦୃଶ୍ୟମାନ ସିସିଟିଭି ଲଗାଯାଇଛି । ତେବେ ପହଲଗାମ ପ୍ରତିଶୋଧ ଭୟରେ ଥରହର ପାକିସ୍ତାନ ଏବେ ହାଫିଜ୍ ସୁରକ୍ଷାକୁ ବଢ଼ାଇ ଦେଇଥିବା ଜଣାପଡ଼ିଛି । ସ୍ପେଶାଲ ସର୍ଭିସ୍ ଗ୍ରୁପ୍ କମାଣ୍ଡରଙ୍କୁ ତା ସୁରକ୍ଷା ନିୟୋଜିତ କରାଯାଇଛି । ଆମେରିକା ଏବଂ ଭାରତ ୱାଣ୍ଟେଡ୍ ତାଲିକାରେ ରହିଛି ହାଫିଜ୍ ସଇଦ୍ । ୨୦୦୮ ମୁମ୍ବାଇ ଆକ୍ରମଣ ଏବଂ ପହଲଗାମ ହମଲା ପରେ ତାର ସମ୍ପୃକ୍ତି ଥିବାରୁ ଭାରତ ହାଫିଜକୁ ଖୋଜୁଛି ।
ଅନ୍ୟପକ୍ଷରେ ଚର୍ଚ୍ଚିତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ମଧ୍ୟ ହାଫିଜକୁ ଟାର୍ଗେଟ୍ କରିଥିବା ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି । ଜଣଙ୍କ ହତ୍ୟାରେ ଲକ୍ଷ ଲୋକଙ୍କ ହତ୍ୟା ସହ ସମାନ ବୋଲି ବିଷ୍ଣୋଇ ଗ୍ୟାଙ୍ଗ୍ କହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ହାଫିଜ୍ ପାକିସ୍ତାନ ସରକାରଙ୍କ କଥିତ ହେପାଜତରେ ଅଛି । ସାତଟି ଆତଙ୍କୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ୪୬ ବର୍ଷର ଜେଲଦଣ୍ଡ ଭୋଗୁଛି । ୭ ଏପ୍ରିଲ୍, ୨୦୨୨ ରେ ସଇଦଙ୍କୁ ଆତଙ୍କବାଦ ପାଣ୍ଠି ଯୋଗାଣର ଦୁଇଟି ମାମଲାରେ ୩୧ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା । ୨୦୧୯ ରୁ କାଗଜପତ୍ରରେ ଗିରଫ ହୋଇଥିବା ଦର୍ଶାଯାଇଥିବା ସଇଦ ପୂର୍ବରୁ ୨୦୨୦ ରେ ସମାନ ଅଭିଯୋଗରେ ୧୫ ବର୍ଷର ଜେଲଦଣ୍ଡ ଭୋଗୁଥିଲେ । କୋର୍ଟ ଏହି ଦଣ୍ଡଗୁଡ଼ିକୁ ଏକକାଳୀନ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ଗତ ତିନି ବର୍ଷ ମଧ୍ୟରେ ୨୪ଟିରୁ ଅଧିକ ସାର୍ବଜନୀନ ସ୍ଥାନରେ ହାଫିଜର ଉପସ୍ଥିତି ଦେଖିବାକୁ ମିଳିଛି । ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ତାର ଉପସ୍ଥିତି ଦେଖିବାକୁ ମିଳିଛି । ବହୁ-ସ୍ତରୀୟ ସୁରକ୍ଷା ବଳୟ ତାକୁ ସୁରକ୍ଷା ଦେଉଛି । ସଇଦକୁ ପ୍ରାୟତଃ ପିଓକେ (ପାକ୍ ଅଧିକୃତ ଅଞ୍ଚଳ)ରେ ଆତଙ୍କୀ ଲଞ୍ଚ ପ୍ୟାଡ୍ ସହିତ ମୁରିଦକେ, ବାହାବଲପୁର ଏବଂ ରାୱଲକୋଟରେ ଥିବା କ୍ୟାମ୍ପରେ ଦେଖିବାକୁ ମିଳିଥାଏ । ଜାମ୍ମ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ହାଫିଜ୍ ୨୦୨୦ରେ ଲସ୍କରର ନାମ ପରିବର୍ତ୍ତନ କରି "ଦି ରେଜିଷ୍ଟାନ୍ସ ଫ୍ରଣ୍ଟ" ରଖିଥିଲା।