ଭୁବନେଶ୍ୱର: କାର୍ଯ୍ୟରତ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣା ଏବେ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇ ଦେଇଛି । ରାଜ୍ୟର ସମସ୍ତ ଓଏଏସ୍ କର୍ମଚାରୀ ବର୍ତ୍ତମାନ ସମୂହ ଛୁଟିରେ ଯାଇ ଆନ୍ଦୋଳନ କରିଛନ୍ତି । ଫଳରେ ସରକାରୀ କାମ ଯେମିତି ଠପ୍ ହୋଇଯାଇଛି । ଗୋଟିଏ ପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବାବେଳେ ଆଉ ଗୋଟିଏ ପଟେ ବର୍ଷା ଓ ବନ୍ୟାର ସମୟ । ତେଣୁ ଏପରି ସମୟରେ ଆନ୍ଦୋଳନ ନ କରିବାକୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ବିପଦରେ ପଡ଼ିଥିବାବେଳେ ଆନ୍ଦୋଳନ କରିବା ସମୀଚୀନ ନୁହେଁ । ରାଜ୍ୟରେ ଏବେ ବର୍ଷା ଓ ବନ୍ୟାର ପ୍ରାବଲ୍ୟ ରହିଛି । ଏ ସମୟରେ ଆନ୍ଦୋଳନ କରିବା ଅନୁଚିତ ଏବଂ ନିଜର ଦାୟିତ୍ୱ ତୁଲାଇବା ଉଚିତ । ୫ଟି ଜିଲ୍ଲାର ଲୋକ ଏବେ ଦୁର୍ଗତିରେ ଅଛନ୍ତି । ଏବେ ଲୋକଙ୍କ ସେବା କରିବାର ସୁଯୋଗ । ସେହିପରି ରଥଯାତ୍ରା ଚାଲିଥିବାରୁ ଓଡ଼ିଶାରେ ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ରଥାଯାତ୍ରାରେ ୫୦ ଜଣଙ୍କୁ ଓଏଏସ୍ ଅଧିକାରୀ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଗୋଟିଏ ଅଘଟଣ ଘଟି ସାରିଛି । ତେଣୁ ଆଉ କୌଣସି ଅଘଟଣ ନ ଘଟୁ ସେଥିପାଇଁ ଆନ୍ଦୋଳନରୁ ଓହରନ୍ତୁ । ରଥଯାତ୍ରାକୁ ମଧ୍ୟ ସୂଚାରୁରୂପେ ନିର୍ବାହ କରିବା ଅଧିକାରୀମାନଙ୍କର ଦାୟିତ୍ୱ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଆନ୍ଦୋଳନ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ରହିଛି ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । ଓଏଏସ୍ ସଂଘ ଆନ୍ଦୋଳନରୁ ଓହରନ୍ତୁ ଏବଂ ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରନ୍ତୁ । ଆଇନ ତା ବାଟରେ ଯିବ । ରାଜ୍ୟ ସରକାରଙ୍କ ଦ୍ୱାର ଆଲୋଚନା ପାଇଁ ୨୪ ଘଣ୍ଟା ଖୋଲା ରହିଛି । ତେଣୁ ନିଜ ବିବେକକୁ ପଚାରି ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି ।
ତେବେ କାର୍ଯ୍ୟରତ ଓଏଏସ୍ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଏହାକୁ ଯେତେ ନିନ୍ଦା କଲେ ସେତେ କମ୍ ହେବ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇସାରିଛି । ଆଉ ଯେଉଁମାନେ ଏଥିରେ ସଂମ୍ପୃକ୍ତ ଥିବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ସେପଟେ ଓଏଏସ ସଂଘ ଆଜି ଏକ ଜରୁରୀ ବୈଠକ କରିଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ତେବେ ରାଜସ୍ୱ ମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ଜରୁରୀ ସେବାରେ ଯୋଗ ଦେବାକୁ ଓଡ଼ିଶା ରାଜସ୍ୱ ସେବା ସଂଘ ନିଷ୍ପତ୍ତି ନେଇଛି । କିନ୍ତୁ ଓଏଏସ୍ ସଂଘର ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି । କେବଳ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଏବଂ ରଥ ଯାତ୍ରାରେ କାର୍ଯ୍ୟରତ ଅଧିକାରୀମାନେ ଆନ୍ଦୋଳନରୁ ଓହରି କାର୍ଯ୍ୟ ଦେବେ ବୋଲି ନିଷ୍ପତ୍ତି ନିଆଯାଇଥିବା ରାଜସ୍ୱ ଅଧିକାରୀ ସଂଘର ସଭାପତି କନିଷ୍କ ବୋଧିସ୍ୱତ୍ୱ ସୂଚନା ଦେଇଛନ୍ତି ।