ପୁରୀ ଶ୍ରୀଗୁଚିଣ୍ଡାରେ ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି। ଏ ଅଘଟଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି । ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆଜି (ବୁଧବାର) ମୃତକଙ୍କ ପରିବାର ବର୍ଗଙ୍କୁ ଚେକ୍ ପ୍ରଦାନ କରିଛନ୍ତି ମନ୍ତ୍ରୀ।
ଦଳାଚକଟା ମାମଲାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମୃତ ମହିଳାଙ୍କ ଘରେ ପହଞ୍ଚି ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଣ ହରାଇଥିବା ବାଲିପାଟଣା ବ୍ଲକର ଅଠାନ୍ତର ଗ୍ରାମର ନିବାସୀ ପ୍ରଭାତୀ ଦାସଙ୍କ ପରିବାରକୁ ଭେଟିଛନ୍ତି। ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ଝିଅ ଶୀର୍ଷା ଦାସଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ।
ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ ରଥଯାତ୍ରା ଦଳାଚକଟାରେ ପ୍ରାଣ ହରାଇଥିବା ଖୋର୍ଦ୍ଧା ଜିଲ୍ଲାର ନୀଳକଣ୍ଠ ନଗର ନିବାସୀ ପ୍ରେମାକାନ୍ତ ମହାନ୍ତିଙ୍କ ପରିବାରକୁ ଭେଟି ଆର୍ଥିକ ସହାୟତା ଦେଇଛନ୍ତି। ପରିବାର ବର୍ଗଙ୍କ ସାକ୍ଷାତ କରି ସମବେଦନା ଜଣାଇବା ସହ ଓଡ଼ିଶା ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରେମାକାନ୍ତଙ୍କ ଧର୍ମପତ୍ନୀଙ୍କୁ ପ୍ରଦାନ କରିଛନ୍ତି ।